ଗାଁକୁ ରାସ୍ତା ନାହିଁଁ, ଦୋଳାରେ ବୁହାହେଲେ ଗର୍ଭବତୀ ଆଶାକର୍ମୀ

ଦାରିଙ୍ଗବାଡ଼ି : ପ୍ରସୂତି ଯନ୍ତ୍ରଣା ଭୋଗୁଥିବା ଗର୍ଭବତୀ କିଭଳି ଭଲରେ ହସ୍ପିଟାଲରେ ପହଞ୍ଚିବେ, ସେଥିପାଇଁ ଆଶାକର୍ମୀଙ୍କର ବଡ଼ ଭୂମିକା ଥାଏ । ମାତ୍ର, ଗର୍ଭବତୀ ଥିବା ଜଣେ ଆଶାକର୍ମୀଙ୍କୁ ବି ଦୋଳାରେ ବୁହାହୋଇ ହସ୍ପିଟାଲ ଯିବାକୁ ପଡ଼ିଛି । ରାସ୍ତା ନଥିବାରୁ ଏହିଭଳି ଏକ ପରିସ୍ଥିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର ତାଜୁଙ୍ଗିଆ ପଞ୍ଚାୟତ ନିଲାକ୍ଲିୟୁ ଗାଁରେ । ସୂଚନା ଅନୁସାରେ ଗାଁର ଥେପିଲ ମାଝୀଙ୍କ ପତ୍ନୀ ଆଶାକର୍ମୀ ଶିବାଜିନୀ ଗର୍ଭବତୀ ଥିଲେ । ତାଙ୍କର ପ୍ରସୂତି ଯନ୍ତ୍ରଣା ବଢ଼ିବାରୁ ଆମ୍ବୁଲାନ୍ସକୁ ଖବର ଦେଲେ । ଯୋଗାଯୋଗ ହୋଇପାରିଲା ନାହିଁ । ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ହେଉ କି ଅଟୋ ସିକବାଡ଼ି ଗାଁ ପର୍ଯ୍ୟନ୍ତ ଆସିପାରିବ । ଶିବାଜିନୀଙ୍କୁ ଦୋଳାରେ ସିକବାଡ଼ି ଗାଁ ଯାଏ ବୋହି ନେଇଥିଲେ । ଏହାପରେ ସେଠାରୁ ଏକ ଅଟୋ ଯୋଗେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ସେଠାରେ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ଏବେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି । ତେବେ ଶିବାଜିନୀ ନିଜେ ଆଶାକର୍ମୀ ହୋଇଥିବା ବେଳେ ଏଭଳି ସମସ୍ୟାର ସମ୍ମୁଖୀନ ହେବା ଘଟଣା ସୁରକ୍ଷିତ ମାତୃତ୍ୱ ଯୋଜନାକୁ ଅପହଞ୍ଚ ଇଲାକାରେ ପହଞ୍ଚାଇବା ଦିଗରେ ସ୍ୱାସ୍ଥ୍ୟ ବିଭାଗର ଉଦାସୀନତା ବୋଲି ଅଭିଯୋଗ ହୋଇଛି । ଗର୍ଭବତୀ ଶିବାଜିନୀ ନିଜେ ଆଶାକର୍ମୀ ହୋଇ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେବାନେଇ ଦାରିଙ୍ଗବାଡ଼ି ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଜାକେଶ ସାମନ୍ତରାୟଙ୍କୁ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି, ଆଶାକର୍ମୀ ଶିବାଜିନୀ କେଉଁ କାରଣରୁ ମା’ଗୃହକୁ ଗଲେ ନାହିଁ ଏବଂ କାହିଁକି ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା ସେ ନେଇ ତଦନ୍ତ କରାଯିବ ।

Leave a Reply

Your email address will not be published. Required fields are marked *