ନୂଆଦିଲ୍ଲୀ; ଇସ୍ରୋର ଗଗନଯାନ ମିଶନ ମାଧ୍ୟମରେ ମହାକାଶକୁ ଯିବାକୁ ଥିବା ୪ ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚାରି ବୀରଙ୍କ ନାମ ଘୋଷଣା କରିଛନ୍ତି । ପ୍ରଥମ କରି ଭାରତୀୟ ବାୟୁସେନାର ଚାରି ଜଣ ଅଧିକାରୀ ମହାକାଶ ଯାତ୍ରା କରିବେ । ସେମାନେ ହେଉଛନ୍ତି ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଳକୃଷ୍ଣ, ଗ୍ରୁପ୍ କ୍ୟାପଟେନ୍ ଅଜିତ କୃଷ୍ଣ, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ ଓ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା । ବାୟୁସେନାର ଏହି ସାହସୀ ଯୋଦ୍ଧାଙ୍କ ନାମ ଘୋଷଣା କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ୪ ଜଣ କେବଳ ବ୍ୟକ୍ତି ନୁହନ୍ତି, ୧୪୦ କୋଟି ଜନତାଙ୍କ ଶକ୍ତି । ଦେଶର ନାଁକୁ ମହାକାଶକୁ ନେଇଯିବାର ଶକ୍ତି ହେଉଛନ୍ତି ଏହି ୪ ଜଣ । ଏମାନେ ବର୍ତ୍ତମାନର ଭାରତର ବିଶ୍ୱାସ ଓ ଶୌର୍ଯ୍ୟ ।ମହାକାଶଚାରୀଙ୍କ ପରିବାର ବର୍ଗଙ୍କୁ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଥମ ଥର ପାଇଁ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ । ଆଉ କିଛି ଦିନ ମଧ୍ୟରେ ଆମେ ପୁଣି ଥରେ ଚନ୍ଦ୍ରକୁ ଯାଉଛନ୍ତି । ଚନ୍ଦ୍ରରୁ ସାମ୍ପଲ ସଂଗ୍ରହ କରି ତାକୁ ପୃଥିବୀ ପୃଷ୍ଠକୁ ଆଣିବୁ । ମିଶନ ଶୁକ୍ର ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଯେ, ଆଉ କିଛି ଦିନ ମଧ୍ୟରେ ଚନ୍ଦ୍ର ଭଳି ମିଶନ ଶୁକ୍ର ମଧ୍ୟ ଆରମ୍ଭ ହେବ । ଏଥିସହ ୨୦୩୦ ସୁଦ୍ଧା ଭାରତର ନିଜର ସ୍ପେଶ୍ ଷ୍ଟେସନ ସ୍ଥାପନ ହୋଇସାରିଥିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମହିଳା ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି ।