Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗରଜୀଙ୍କୁ ପ୍ରଣାମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗରଜୀଙ୍କୁ ପ୍ରଣାମ

-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି-

ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗରଜୀ ମହାରାଜଜୀ ଆମମାନଙ୍କୁ ଦୁଃଖସାଗରରେ ଭସାଇ ନିକଟରେ ସମାଧି ଲାଭ କରିଛନ୍ତି । ଆଚାର୍ଯ୍ୟଜୀଙ୍କ ଜୀବନ ପ୍ରଚଣ୍ଡ ପଜ୍ଞା, ଅସୀମ ଅନୁକମ୍ପା ଓ ମାନବ ସମାଜର ଉତ୍‌ଥାନ ପାଇଁ ଅତୁଟ ପ୍ରତିବଦ୍ଧତାରେ ସଦାସର୍ବଦା ପରିପୂର୍ଣ୍ଣ ରହିଥିଲା । ଅନେକ ବାର ତାଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ମତେ ପ୍ରାପ୍ତ ହୋଇଛି । ତେଣୁ ତାଙ୍କ ତିରୋଧାନରେ ମୋର ପ୍ରଭୂତ କ୍ଷତି ହୋଇଛି ଏବଂ ମୋତେ ଆଗକୁ ଆଲୋକବର୍ତ୍ତିକା ଭଳି ପଥ ପ୍ରଦର୍ଶନ କରୁଥିବା ଜଣେ ପ୍ରିୟ ଗୁରୁଙ୍କୁ ହରାଇବା ପରି ମୁଁ ଅନୁଭବ କରୁଛି । ମୋ ପରି ଅସଂଖ୍ୟ ଆତ୍ମାଙ୍କ ପାଇଁ ସେ ଥିଲେ ମାର୍ଗଦର୍ଶକା ତାଙ୍କ ସ୍ନେହ, ଉଷ୍ମତା ଓ ଆଶୀର୍ବାଦ କେବଳ ଶୁଭେଚ୍ଛା ନଥିଲା । ଏହା ସମସ୍ତଙ୍କୁ ପ୍ରଭୂତ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରୁଥିଲା । ଯେଉଁମାନେ ଆଚାର୍ଯ୍ୟ ଶିରୋମଣିଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଏହି ଅସୀମ ଶକ୍ତି ଓ ପ୍ରେରଣାକୁ ଅବଶ୍ୟ ଅନୁଭବ କରିଥିବେ । ପୂଜ୍ୟ ଆଚାର୍ଯ୍ୟଜୀ ସଦାବେଳେ ଜ୍ଞାନ, ସମ୍ବେଦନା ଓ ସେବାର ତ୍ରିବେଣୀ ସଂଗମ ରୂପରେ ସମସ୍ତଙ୍କ ସ୍ମୃତିରେ ରହିଥିବେ । ପ୍ରକୃତରେ ସେ ଥିଲେ ଜଣେ ତପସ୍ୱୀ ଓ ତାଙ୍କ ଜୀବନ ଭଗବାନ ମହାବୀରଙ୍କ ଆଦର୍ଶର ଏକ ନାନୁକରଣୀୟ ଉଦାହରଣ ଥିଲା । ତାଙ୍କର ପ୍ରତିଟି କର୍ମରେ ଜୈନଧର୍ମର ମୂଳ ନୀତି ପ୍ରତିଫଳିତ ହେଉଥିଲା । ନିଜ ବଚନ ଓ ଜ୍ଞାନ ବିତରଣରେ ତାହା ପରିଲକ୍ଷିତ ହେଉଥିଲା । ସଂସାରର ପ୍ରତ୍ୟେକ ପ୍ରାଣୀଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଜୈନଧର୍ମର ପ୍ରତିଟି ଜୀବଙ୍କ ପ୍ରତି ସମ୍ମାନର ପ୍ରତିଫଳନ ବୋଲି କୁହାଯାଇପାରେ । ସେ ସତ୍ୟର ଜୀବନ ବଞ୍ଚୁଥିଲେ- ଏହା ମଧ୍ୟ ଜୈନଧର୍ମର ଚିନ୍ତନ, କଥନ ଓ କାର୍ଯ୍ୟର ସାଧୁତାକୁ ପ୍ରମାଣିତ କରେ । ତାଙ୍କ ଜୀବନଶୈଳୀ ଥିଲା ସରଳ । ତାଙ୍କ ଭଳି ମହାନ ସନ୍ଥଙ୍କ ପାଇଁ ହିଁ ଜୈନଧର୍ମ ଓ ଭଗବାନ ମହାବୀରଙ୍କ ଭଳି ଦିବ୍ୟାତ୍ମାଙ୍କ ପ୍ରତି ସମଗ୍ର ବିଶ୍ୱର ଶ୍ରଦ୍ଧା ଓ ସମ୍ମାନ ବୃଦ୍ଧି ପାଇଚାଲିଛି । ଜୈନବାଦ ଶୃଙ୍ଖଳାରେ ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ସତ, କିନ୍ତୁ ତାହା କେବଳ ସେହି ଗୋଷ୍ଠୀ ମଧ୍ୟରେ ସୀମିତ ନଥିଲା । ବରଂ ତାଙ୍କ ସତ୍ୟନିଷ୍ଠ ବ୍ୟକ୍ତିତ୍ୱର ପ୍ରଭାବ ଓ ବ୍ୟାପ୍ତି ସମଗ୍ର ମାନବ ସମାଜ ଉପରେ ପଡ଼ିଥିଲା । ସବୁ ଧର୍ମ, ଆସ୍ଥା ଓ ସଂସ୍କୃତିର ଲୋକମାନେ ତାଙ୍କ ନିକଟକୁ ଆସୁଥିଲେ ଏବଂ ସେମାନଙ୍କ ମନରେ ବିଶେଷ ଭାବରେ ଯୁବଗୋଷ୍ଠୀଙ୍କ ହୃଦୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ନିମନ୍ତେ ସେ ଅବିଶ୍ରାନ୍ତ ଭାବେ ସଦାବେଳେ ତତ୍ପର ଥିଲେ । ଶିକ୍ଷା ଥିଲା ସନ୍ଥ ମହାରାଜଙ୍କର ସବୁଠାରୁ ବଳି ପ୍ରିୟ ଏବଂ ହୃଦୟର ନିକଟତର । ବିଦ୍ୟାଧର (ତାଙ୍କର ବାଲ୍ୟକାଳର ନାମ) ଠାରୁ ବିଦ୍ୟାସାଗର ପର୍ଯ୍ୟନ୍ତ ତାଙ୍କର ଯାତ୍ରା କେବଳ ଜ୍ଞାନ ଆହରଣ ଓ ଜ୍ଞାନ ବିତରଣ ସକାଶେ ହିଁ ସମର୍ପିତ ଥଲା । ତାଙ୍କର ଅତୁଟ ବିଶ୍ୱାସ ଥିଲା ଯେ କେବଳ ଶିକ୍ଷାଦ୍ୱାରା ହିଁ ଏକ ଉଚିତ ଏବଂ ପ୍ରଜ୍ଞାଦୀପ୍ତ ସମାଜ ଗଠନ କରାଯାଇପାରିବ । ତେଣୁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିବା ନିମନ୍ତେ ସେ ଜ୍ଞାନକୁ ସାଧନ ରୂପେ ଉପଯୋଗ କରିବା ଉପରେ ପ୍ରାଧାନ୍ୟ ଦେଉଥିଲେ । ଏହାଦ୍ୱାରା ସେ ସମସ୍ତଙ୍କୁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଓ ସମାଜ ପ୍ରତି ସମର୍ପିତ ଜୀବନ ବଞ୍ଚିବାକୁ ପ୍ରେରଣା ଯୋଗାଉଥିଲେ । ତାଙ୍କ ଶିକ୍ଷାରେ ସେ ସ୍ୱା-ଧ୍ୟାୟ ଓ ଆତ୍ମ-ସଚେତନତାକୁ ହିଁ ବାସ୍ତବ ପ୍ରଜ୍ଞା ପ୍ରାପ୍ତିର ମାର୍ଗ ରୂପେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଉଥିଲେ । ତେଣୁ ସେ ନିଜର ଅନୁଗାମୀମାନଙ୍କୁ ଆଜୀବନ ଜ୍ଞାନାନୁସନ୍ଧାନୀ ଏବଂ ଆଧ୍ୟାତ୍ମିକ ବିକାଶ ମାର୍ଗରେ ପଥିକ ହେବା ଲାଗି ଉପଦେଶ ଦେଉଥିଲେ । ଏହା ସହିତ ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସାଗରଜୀ ମହାରାଜଜୀ ଆମର ଯୁବଗୋଷ୍ଠୀଙ୍କୁ ଉପଯୁକ୍ତ ଶିକ୍ଷା ପ୍ରାପ୍ତି ନିମନ୍ତେ ପ୍ରବର୍ତ୍ତାଉଥିଲେ । ବାସ୍ତବ ଶିକ୍ଷା ଆମର ସାଂସ୍କୃତିକ ଚିନ୍ତାଧାରାରେ ନିହିତ ରହିଛି ବୋଲି ମତ ପୋଷଣ କରୁଥିଲେ । ଆମେ ଅତୀତର ସାଂସ୍କୃତିକ ବୈଠକ ଏବଂ ଶିକ୍ଷାଠାରୁ ଦୂରେଇ ଯାଉଥିବା ହେତୁ ଏବେ ଜଳସଂକଟର ସମାଧାନ ସୂତ୍ର ଖୋଜି ପାଇବାକୁ ଅସମର୍ଥ ହୋଇଛୁ । ସାମଗ୍ରିକ ଶିକ୍ଷା ଜଣେ ବିଦ୍ୟାର୍ଥୀକୁ କୁଶଳୀ ଓ ସୃଜନଶୀଳ କରିଥାଏ ବୋଲି ତାଙ୍କର ତୃଢ଼ ଯୁକ୍ତି ଥିଲା । ଭାରତର ଭାଷାଭିତ୍ତିକ ବିବିଧତାକୁ ନେଇ ସେ ସଦାସର୍ବଦା ଗର୍ବ ଓ ଗୌରବ ଅନୁଭବ କରୁଥିଲେ ଏବଂ ଭାରତୀୟ ଭାଷା ଅଧ୍ୟୟନ ସକାଶେ ଯୁବବର୍ଗଙ୍କୁ ପରାମର୍ଶ ଦେଉଥିଲେ । ପୂଜ୍ୟ ଆଚାର୍ଯ୍ୟଜୀ ସ୍ୱୟଂ ସଂସ୍କୃତ, ପ୍ରାକୃତ ଓ ହିନ୍ଦୀରେ ବ୍ୟାପକ ଗ୍ରନ୍ଥ ରଚନା କରିଛନ୍ତି । ଜଣେ ମୁନି ଭାବେ ସେ ସୁଉଚ୍ଚ ଶିଖରରେ ପହଞ୍ଚିଥିଲେ, ତଥାପି ସଦାବେଳେ ସେ ଥିଲେ ଆଭୂମ । ତାଙ୍କର ଚର୍ଚ୍ଚିତ ପୁସ୍ତକ ‘ମୂକମାଟି\’ରୁ ଏହା ସୁସ୍ପଷ୍ଟ । ନିଜର କାର୍ଯ୍ୟାବଳୀ ମାଧ୍ୟମରେ ସେ ଅବହେଳିତ ଲୋକମାନଙ୍କୁ ସ୍ୱର ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ପୂଜ୍ୟ ଆଚାର୍ଯ୍ୟଜୀଙ୍କ ଅବଦାନ ଥିଲା ଯୁଗାନ୍ତକାରୀ ଓ ପରିବର୍ତ୍ତନକାରୀ । ସେ ଅନେକ ଲୋକହିତକର କାର୍ଯ୍ୟକ୍ରମ ସହିତ ଏକାଧାରରେ ସଂଶ୍ଳିଷ୍ଟ ଥିଲେ । ବିଶେଷକରି ଅବହେଳିତ କ୍ଷେତ୍ରର ବିକାଶ କର୍ମରେ ସେ ଓତପ୍ରୋତ ଭାବରେ ଜଡ଼ିତ ରହିଥିଲେ । ସ୍ୱାସ୍ଥ୍ୟସେବା ପ୍ରତି ତାଙ୍କର ଆଭିମୁଖ୍ୟ ଥିଲା ସାମଗ୍ରିକ । ସମନ୍ୱିତ ଶାରୀରିକ ନିରାମୟତା ସହିତ ଆଧ୍ୟାତ୍ମିକ କଲ୍ୟାଣ ଏଥିରେ ସାମିଲ ଥିଲା । ତେଣୁ ଜଣେ ବ୍ୟକ୍ତିର ସକାଳ ପ୍ରକାର ଆବଶ୍ୟକତା ପୂରଣ ଦିଗରେ ସେ ପ୍ରୟାସୀ ଥିଲେ । ଆଗାମୀ ପିଢ଼ିଙ୍କୁ ମୁଁ ବିଶେଷ ଭାବରେ ନିବେଦନ କରିବି ଯେ, ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସାଗରଜୀ ମହାରାଜଜୀଙ୍କ ରାଷ୍ଟ୍ର ନିର୍ମାଣ ପ୍ରତି ଥିବା ପ୍ରତିବଦ୍ଧତା ସମ୍ପର୍କରେ ବ୍ୟାପକ ମାତ୍ରାରେ ଅଧ୍ୟୟନ କରନ୍ତୁ । ସନ୍ଥଜୀ ସଦାସର୍ବଦା ନିବେଦନ କରୁଥିଲେ ଯେ ପକ୍ଷପାତପୂର୍ଣ୍ଣ ବିଚାରଧାରାଠାରୁ ଦୂରେଇ ରହିବା ଆବଶ୍ୟକ ଏବଂ ଜାତୀୟ ସ୍ୱାର୍ଥ ପାଇଁ ଧ୍ୟାନକେନ୍ଦ୍ରିତ କରିବା ଉଚିତ । ଭୋଟଦାନର ସେ ଥିଲେ ଜଣେ ଦୃଢ଼ ପ୍ରବକ୍ତା, କାରଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ଓ ମତପୋଷଣ କରିବାର ଏହା ହେଉଛି ସବୁଠାରୁ ବଡ଼ ସାଧନା । ଏକ ସୁସ୍ଥ ଓ ସ୍ୱଚ୍ଛ ରାଜନୈତିକ ବ୍ୟବସ୍ଥା ପାଇଁ ମଧ୍ୟ ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରୁଥିଲେ । ସରକାରଙ୍କର ସବୁ ନୀତି ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ହେବା ଉଚିତ ବୋଲି ତାଙ୍କର ବଳିଷ୍ଠ ମତ ଥିଲା । ଏହା କୌଣସି ଆତ୍ମସ୍ୱାର୍ଥ ପାଇଁ ନୁହେଁ (ଲୋକନୀତି, ଲୋକସଂଗ୍ରହ ପାଇଁ ଉଦ୍ଦିଷ୍ଟ, ଲୋକସଂଗ୍ରହ ପାଇଁ ନୁହେଁ) । ସେ ବିଶ୍ୱାସୀ ଥିଲେ ଯେ, ନାଗରିକମାନେ ସେମାନଙ୍କର କର୍ତ୍ତବ୍ୟ ନିଜ ପାଇଁ, ନିଜ ପରିବାର ପାଇଁ, ସମାଜ ଓ ରାଷ୍ଟ୍ର ପାଇଁ ନିଷ୍ଠାବାନ ରହିଲେ ରାଷ୍ଟ୍ରର ଭିତ୍ତି ସୁଦୃଢ଼ ହୋଇପାରିବ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସାଧୁତା, ନିଷ୍ଠାବାନ ଓ ଆତ୍ମନିର୍ଭରଶୀଳ ହେବା ସକାଶେ ସେ ପରାମର୍ଶ ଦେଉଥଲେ । ତାହା ଏକ ଉଚିତ, ସମ୍ବେଦନଶୀଳ ତଥା ପ୍ରଗତିଶୀଳ ସମାଜ ଗଠନରେ ସହାୟକ ହୋଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା । ଆମେ ଏବେ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଥିବାବେଳେ ସନ୍ଥ ଶିରୋମଣି ଶ୍ରୀ ବିଦ୍ୟାସାଗରଜୀଙ୍କର ଏଭଳି ଉପଦେଶ ବିଶେଷ ଗୁରୁତ୍ୱ ବହନ କରେ । ସାରା ବିଶ୍ୱରେ ଅଧୁନା ଯେତେବେଳେ ପାରିବେଶିକ ଅବକ୍ଷୟ ବ୍ୟାପକ ମାତ୍ରାରେ ଘଟିଚାଲିଛି, ସେତେବେଳେ ପୂଜ୍ୟ ଆଚାର୍ଯ୍ୟଜୀ ପ୍ରକୃତି ପ୍ରତି ଆମେ ସଭିଏଁ ଯେପରି ସାମାନ୍ୟତମ କ୍ଷତି ନପହଞ୍ଚାଇବା ସେଥିପ୍ରତି ସଦାସର୍ବଦା ସଚେତନ ରହିବାକୁ ସେ କହୁଥିଲେ । ଆମ ଅର୍ଥନୀତିରେ କୃଷିର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରୁଥିଲେ ଏବଂ ଏଥିସହିତ କୃଷିକୁ ଆଧୁନିକ ଓ ପୋଷଣୀୟ କରିବା ନିମନ୍ତେ ପରାମର୍ଶ ଦେଉଥିଲେ । ଜେଲ୍‌ର ଅନ୍ତେବାସୀଙ୍କ ପାଇଁ ତାଙ୍କ ସଂସ୍କାର ପରାମର୍ଶ ମଧ୍ୟ ଥିଲା ଗୁରୁତ୍ୱପୂର୍ଣ୍ଣ । ଆମ ଭୂମିର ସୌନ୍ଦର୍ଯ୍ୟ ଅତୁଲ୍ୟ ଏବଂ ତାହା ହଜାର ହଜାର ବର୍ଷ ଧରି ଅତୁଟ ରହିଆସିଛି । ଆମ ଭୂମି ଅସଂଖ୍ୟ ମହାପୁରୁଷଙ୍କୁ ଜନ୍ମ ଦେଇଛି, ଯେଉଁମାନେ ସମାଜକୁ ଉତ୍ତମ ରୂପେ ଗଢ଼ିବା ସହ ଆଲୋକବର୍ତ୍ତିତା ସାଜିଛନ୍ତି । ସେହିଭଳି ସନ୍ଥ ଓ ସମାଜ ସଂସ୍କାରକଙ୍କ ସୂଚୀରେ ପୂଜ୍ୟ ଆଚାର୍ଯ୍ୟଜୀ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ରୂପେ ବିଦ୍ୟମାନ । ସେ ଯାହାକିଛି କରୁଥିଲେ ତାହା କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ଅଭିପ୍ରେତ ଥିଲା । ଗତବର୍ଷ ନଭେମ୍ବର ମାସରେ, ଛତିଶଗଡ଼ର ଡୋଙ୍ଗରଗଡ଼ ସ୍ଥିତ ଚନ୍ଦ୍ରଗିରି ଜୈନ ମନ୍ଦିର ପରିଦର୍ଶନର ସୌଭାଗ୍ୟ ମୋତେ ମିଳିଥିଲା । ସେତେବେଳେ କିନ୍ତୁ ମୁଁ ସାମାନ୍ୟତମ ଆଭାସ ସୁଦ୍ଧା ପାଇନଥିଲି ଯେ, ପୂଜ୍ୟ ଗୁରୁଜୀଙ୍କ ସହ ତାହା ଥିଲା ମୋର ଅନ୍ତିମ ସାକ୍ଷାତ । ସେ ମୁହୂର୍ତ୍ତ, ବିଶେଷ ମହତ୍ତ୍ୱ ବହନ କରିଥିଲା । ଦୀର୍ଘ ସମୟ ଧରି ସେ ମୋ ସହ ବାର୍ତ୍ତାଳାପ କରିଥିଲେ । ରାଷ୍ଟ୍ର ନିର୍ମାଣ ପାଇଁ ମୋର ପ୍ରୟାସକୁ ଆଶୀର୍ବାଦ ଦେଉଥିଲେ । ଆମ ଦେଶର ପ୍ରଗତି ଓ ସମଗ୍ର ବିଶ୍ୱରେ ଏହା ପାଉଥିବା ସମ୍ମାନ ପାଇଁ ସେ ତାଙ୍କର ସନ୍ତୋଷ ବ୍ୟକ୍ତ କରିଥିଲେ । ସେ ଯେଉଁସବୁ କାର୍ଯ୍ୟ କରୁଥିଲେ ସେକଥା କହିଲାବେଳେ ଆନନ୍ଦରେ ଗଦ୍‌ଗଦ୍ ହୋଇ ଉଠୁଥିଲେ । ସେତେବେଳେ ଓ ସଦାବେଳେ ତାଙ୍କର ସେଇ ନିରୀହ ଦୃଷ୍ଟି ଓ ପ୍ରଶାନ୍ତ ସ୍ମିତହାସ୍ୟ ପ୍ରତ୍ୟେକଙ୍କ ମନରେ ଶାନ୍ତି ଓ ଉତ୍ସାହ ଭରିଦେବା ପାଇଁ ପର୍ଯ୍ୟାପ୍ତ । ତାଙ୍କ ଆଶୀର୍ବାଦ ଥିଲା ହୃଦୟକୁ ଶାନ୍ତ କରିବା ଭଳି ଅନ ସଦୃଶ, ଯାହାକି ତାଙ୍କ ଭିତରେ ଓ ଚତୁଃପାଶ୍ୱର୍ରେ ଏକ ଦିବ୍ୟ ବାତାବରଣକୁ ପ୍ରତିପାଦିତ କରୁଥିଲା । ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗରଜୀ ମହାରାଜଜୀଙ୍କ ଅବର୍ତ୍ତମାନରେ ସୃଷ୍ଟ ଶୂନ୍ୟତା ସଭିଏଁ ଗଭୀର ଭାବେ ଅନୁଭବ କରୁଛନ୍ତି । ଯେଉଁମାନେ ତାଙ୍କୁ ଜାଣିଥିଲେ ସେମାନେ ତାଙ୍କର ଶିକ୍ଷା ଓ ଜୀବନ ଦ୍ୱାରା ଅନୁପ୍ରାଣୀତ । ଯେଉଁ ଅସଂଖ୍ୟ ଲୋକଙ୍କୁ ସେ ପ୍ରଭାବିତ କରିଥିଲେ ସେମାନଙ୍କ ହୃଦୟରେ ସନ୍ଥ ଶିରୋମଣି ଆଚାର୍ଯ୍ୟଜୀ ସଦାସର୍ବଦା ବିରାଜମାନ ରହିଛନ୍ତି । ତାଙ୍କ ସ୍ମୃତିକୁ ସମ୍ମାନ ପ୍ରଦର୍ଶନପୂର୍ବକ, ସେ ଯେଉଁ ଆଦର୍ଶରେ ଜୀବନ ବଞ୍ଚିଥିଲେ ଓ ସମସ୍ତଙ୍କୁ ପରାମର୍ଶ ଦେଉଥିଲେ, ତାକୁ ସଭିଏଁ ଆହରଣ ପାଇଁ ସଂକଳ୍ପବଦ୍ଧ ହେବା । ତଦ୍ଦ୍ୱାରା କେବଳ ଏହି ମହାନ ଆତ୍ମାଙ୍କ ପ୍ରତି ଆମର ଉପଯୁକ୍ତ ଓ ଯଥାର୍ଥ ଶ୍ରଦ୍ଧାଳି ହେବନାହିଁ, ଅପରପକ୍ଷେ ଆମ ରାଷ୍ଟ୍ର ଓ ଲୋକମାନଙ୍କୁ ଆଗକୁ ଆଗେଇ ନେବା ସକାଶେ ତାଙ୍କ ଅଭିଯାନ ମଧ୍ୟ ସାକାରିତ ହୋଇପାରିବ ।

Leave a Reply