ରେକର୍ଡ ସମୟ ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିର ସ୍ମାରକୀ ଡାକଟିକେଟ ବିକ୍ରି

ହାଇଦ୍ରାବାଦ: ଅଯୋଧ୍ୟାର ରାମ ମନ୍ଦିର ଚିତ୍ର ଥିବା ସ୍ମାରକୀ ଡାକଟିକେଟ ସେଟ୍ ଏବଂ ପ୍ରଭୁ ରାମଙ୍କୁ ଉତ୍ସର୍ଗ କରାଯାଇଥିବା ଡାକଟିକେଟରେ ସଜ୍ଜିତ ଏକ ବହିର ଚାହିଦା ହାଇଦ୍ରାବାଦ ସହରରେ ଏତେ ବଢ଼ିଗଲା ଯେ, ରେକର୍ଡ ସମୟ ମଧ୍ୟରେ ସେ ସବୁ ବିକ୍ରି ହୋଇଗଲା ବୋଲି ‘ଟାଇମ୍‌ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି । ସଂଗ୍ରହଯୋଗ୍ୟ, ଏହି ଡାକଟଟିକେଟ୍ ସେଟ୍‌ରେ ରହିଛି ୬ଟି ପୃଥକ୍ ଡାକଟିକେଟ୍ । ପ୍ରତି ଡାକଟିକେଟ୍‌ରେ ରହିଛି ପ୍ରଭୁ ରାମଙ୍କ ସହିତ ସମ୍ପୃକ୍ତ ଥିବା ପ୍ରମୁଖ ବ୍ୟକ୍ତିତ୍ୱ ଓ ସଙ୍କେତ । ଏଥିରେ ରହିଛି ରାମ ମନ୍ଦିର, ଚୌପାଈ ‘ମଙ୍ଗଳ ଭବନ ଅମଙ୍ଗଳ ହରି’, ସୂର୍ଯ୍ୟ, ସରଯୂ ନଦୀ ଓ ରାମ ମନ୍ଦିର ଭିତରେ ଓ ବାହାରେ ଥିବା ସ୍ଥାପତ୍ୟରାଜି । ଡାକ ବିଭାଗ ଅଧିକାରୀମାନେ କହିଛନ୍ତି, ଏହି ଡାକଟିକେଟଗୁଡ଼ିକରେ ରାମ ମନ୍ଦିର, ପ୍ରଭୁ ଗଣେଶ, ପ୍ରଭୁ ହନୁମାନ, ଜଟାୟୁ, କୱେଟରାଜ ଓ ମା ଶବରୀ ଆଦିଙ୍କ ଚିତ୍ର ରହିଛି । ସୁନେଲି ରଙ୍ଗର ପନି ଲାଗି ହୋଇଥିବା ସୂର୍ଯ୍ୟ କିରଣ ଓ ଚୌପାଈ ଅତି ଚମତ୍କାର ହୋଇଛି । ଡାକଟିକେଟ ଶାଖାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମାତ୍ର ୩ ଦିନ ମଧ୍ୟରେ ତେଲେଙ୍ଗାନା ଡାକ ବିଭାଗର ଡାକଟିକେଟ ଶାଖା ୨,୧୦୦ ମିନିଏଚରରୁ (ପୁସ୍ତକରେ ସଜ୍ଜିତ ଡାକଟିକେଟ୍‌) ୫୦୦ରୁ ୭୦୦ ବିକ୍ରି କରିସାରିଛି । ଏହି ଡାକଟିକେଟର ଚାହିଦା ଦେଖି ଆମେ ବିକ୍ରୟ ଉପରେ କଟକଣା ଲାଗୁ କରିଛୁ । ତେଣୁ, ଜଣକୁ ମାତ୍ର ୨ଟି ମିନିଏଚର ବିକ୍ରି କରାଯାଉଛି ।

Leave a Reply

Your email address will not be published. Required fields are marked *