Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୟ ଶ୍ରୀରାମ ଧ୍ୱନିରେ ଝରିଗାଁ ପ୍ରକମ୍ପିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୟ ଶ୍ରୀରାମ ଧ୍ୱନିରେ ଝରିଗାଁ ପ୍ରକମ୍ପିତ

ଝରୀଗାଁ: ଦୀର୍ଘ ବର୍ଷର ସଂଘର୍ଷ ଓ ବଳିଦାନ ବର୍ତ୍ତମାନ ସାକାର ହୋଇଛି । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରଭୁଙ୍କ ଜନ୍ମଭୂମି ଅଯୋଧ୍ୟା ସୁସଜ୍ଜିତ ହୋଇ ସ୍ୱର୍ଗପୁରୀର ଭ୍ରମ ସୃଷ୍ଟି କରୁଥିବା ବେଲେ ଭାରତ ବର୍ଷର କୋଣ ଅନୁକୋଣ ମଧ୍ୟ ବିଭିନ୍ନ ପ୍ରକାର ଆଲୋକମାଳା ଓ ଗୈରୀକ ତୋରାଣରେ ସଜେଇ ହୋଇ ରାମମୟ ହୋଇଯାଇଛି । ସମଗ୍ର ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏହି ସୁଅବସରରେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ମଧ୍ୟ ଗୌରୀକମୟ ହୋଇଉଠିଛି । ବ୍ଲକରେ ଥିବା ସମସ୍ତ ମନ୍ଦିରକୁ ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ କରିବା ସହ ଗୌରୀକ ତୋରଣ ଓ ପତାକା ସବୁ ବନ୍ଧାଯାଇ ପୂଜାର୍ଚ୍ଚନା କରାଯାଇଛି । ଚାରିଆଡେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଜୟ ଶ୍ରୀରାମ ଜୟ ଶ୍ରୀରାମ ଧ୍ୱନିରେ ଗଗନ ପବନ ଉଛୁଳି ପଡୁଥିଲା । ପିଲା ଠାରୁ ବୁଢ଼ା ସମସ୍ତଙ୍କ ଠାରେ ଦେଖାଦେଇଥିଲା ଆନନ୍ଦ, ଉଲ୍ଲାସ ଓ ଭକ୍ତିଭାବ । ସମସ୍ତଙ୍କ ମୁଖରୁ ଉଚ୍ଚାରିତ ହେଉଥିଲା କେବଳ ଜୟ ଶ୍ରୀରାମ ଧ୍ୱନି । ସତେ ଯେମିତି ଦୀର୍ଘକାଳ ପରେ ସମସ୍ତଙ୍କ ଅଭିଳାଷ ଆଜି ପୂରଣ ହୋଇଯାଇଛି ଓ ସମସ୍ତଙ୍କ ତପସ୍ୟାର ଫଳ ଆଜି ସମସ୍ତଙ୍କୁ ପ୍ରାପ୍ତ ହୋଇଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାମାନେ ଭୋର ସକାଳୁ ଉଠି ଘରଦ୍ୱାର ପୋଛି ଘର ଅଗଣାରେ ଗୋବର ଲେପନ କରି ତହିଁରେ ଭଳିକି ଭଳି ମୁରୁଜ ଝୋଟି ଆଙ୍କି ରାମଲାଲାଙ୍କ ସ୍ୱାଗତ କରିଛନ୍ତି । ପୁଣି ସନ୍ଧ୍ୟାରେ ପ୍ରତି ଗ୍ରାମରେ ପ୍ରତି ଘରେ ମାଟିଦୀପ ସବୁ ପ୍ରଜ୍ୱଳନ କରି ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିଥିଲେ । ଝରୀଗାଁରେ ବସବାସ କରୁଥିବା ବ୍ୟବସାୟୀ ମାନେ ମିଠା, କଫି, ଚା ଆଦି ଲୋକଙ୍କୁ ଦେଇ ନିଜର ଶ୍ରଦ୍ଧା, ସମର୍ପଣ ଓ ଭକ୍ତିଭାବକୁ ପ୍ରକଟ କରୁଥିବା ଦେଖିବାକୁ ମିଳିଥିଲା । ବ୍ଲକର ବିଭିନ୍ନ ମନ୍ଦିର ପ୍ରାଙ୍ଗଣରେ ଆନନ୍ଦ ବଜାର ଭଳି ଲୋକଙ୍କୁ ଅନ୍ନଭୋଗ ପରଷା ଯାଉଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ରାମ ଲକ୍ଷ୍ମଣ ଏବଂ ସୀତାଙ୍କ ବେଶରେ ସୁସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ । ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଭାବ ବିହ୍ୱଳ ହୋଇପଡିଛନ୍ତି ଝରୀଗାଁ ଜନସାଧାରଣ ।ଝରୀଗାଁର ଜଗନ୍ନାଥ ମନ୍ଦିର ଓ ଗଜାଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଝରୀଗାଁ ଅଞ୍ଚଳବାସୀ ବଡ଼ ଆନନ୍ଦ ଉଲ୍ଲାସ ନିଷ୍ଠା ଓ ଶ୍ରଦ୍ଧାର ପାଳନ କରୁଥିବା ଦେଖିବାକୁ ମିଳିଥିଲା ।

May be an image of 1 person

Leave a Reply