Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂ

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ନିଯୁକ୍ତି ଦେବା ନିମନ୍ତେ ସୁପ୍ରିମକୋର୍ଟ କଲେଜିୟମ ଆଜି ସୁପାରିଶ କରିଛନ୍ତି । ଜଷ୍ଟିସ ଶୁଭାଶୀଷ ତାଳପତ୍ରଙ୍କ ଅବସର ପରେ ଅକ୍ଟୋବର ୩ରୁ ଓଡ଼ିଶା ମୁଖ୍ୟ ବିଚାରପତି ପଦ ଖାଲି ପଡ଼ିଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜୟ କିଶାନ କୌଶଲ ଓ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଆଜି ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଛନ୍ତି । ୧୯୬୩ ଜାନୁୟାରୀ ୨୦ତାରିଖରେ ଜନ୍ମିତ ୬୦ବର୍ଷୀୟ ଜଷ୍ଟିସ ଶରନ ସିଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ ୧୯୯୦ ଜାନୁୟାରୀ ମାସରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ ୨୨ବର୍ଷ ଧରି କାର୍ଯ୍ୟ କରିଛନ୍ତି । ୨୦୧୨ ଏପ୍ରିଲ ୫ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ପାଟନା ହାଇକୋର୍ଟ ବିଚାରପତି ଭାବେ ଦୀର୍ଘ ୧୧ବର୍ଷ ମଧ୍ୟରେ ସେ ମୋଟ ୧୨୪୬ଟି ମାମଲାର ଶୁଣାଣି କରି ରାୟ ଦେଇଛନ୍ତି । ଏଥିରେ ବିଗତ ୫ବର୍ଷ ମଧ୍ୟରେ ୫୬୨ଟି ରାୟ ପ୍ରଦାନ କରିଛନ୍ତି । ତାଙ୍କର ଉଚ୍ଚଶୈଳୀର ପେଷାଦାର ନୀତି- ଆଦର୍ଶ,ସତ୍ୟନିଷ୍ଠ ଓ ପ୍ରତିଷ୍ଠାକୁ ବିଚାର କଲେ ସେ ହିଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିମନ୍ତେ ସବୁଠୁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ସୁପାରିଶରେ ଦର୍ଶାଇଛନ୍ତି । ଜଷ୍ଟିସ ଚକ୍ରଧାରୀ ଶରନ ସିଂ ଚଳିତବର୍ଷ ଫେବୃୟାରୀ ମାସରେ ପ୍ରାୟ ଦେଢ଼ମାସ ନିମନ୍ତେ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଜଷ୍ଟିସ ଶରନ ସିଂ ୨୦୨୫ ଜାନୁୟାରୀ ମାସରେ ଅବସର ନେବେ । ସୂଚନାଯୋଗ୍ୟ, ଜଷ୍ଟିସ ଶୁଭାଶୀଷ ତାଳପତ୍ରଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଦାୟିତ୍ୱ ତୁଲାଉଛନ୍ତି

Leave a Reply