Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବିରୋଧୀ ବିମର୍ଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବିରୋଧୀ ବିମର୍ଶ

  • ସର୍ବେଶ୍ୱର ବେହେରା –
    ଆମେରିକାରେ ୨୦୧୯ରେ ଏକ ସଂସ୍ଥା ଗଠିତ ହୋଇଛି, ଯାହାର ନାମ ‘ହିନ୍ଦୁଜ୍ ଫର ହ୍ୟୁମାନ୍ ରାଇଟସ’ । ଏହାର ଲକ୍ଷ୍ୟ ହିନ୍ଦୁମାନଙ୍କର ମାନବାଧିକାର ରକ୍ଷା କରିବା । କିନ୍ତୁ ଏହାର ୱେବସାଇଟସକୁ ଲକ୍ଷ୍ୟ କଲେ ଜଣାଯାଉଛି ଯେ ଏହା ହିନ୍ଦୁ, ହିନ୍ଦୁତ୍ୱ ଓ ହିନ୍ଦୁରାଷ୍ଟ୍ର ସଙ୍କଳ୍ପନାକୁ ଘୋର ବିରୋଧ କରୁଛି । ଏହି ସଙ୍ଗଠନ ଇସ୍ରାଏଲର ପାଲେଷ୍ଟାଇନର ଆତଙ୍କବାଦୀ ହମାସ ଉପରେ ଆକ୍ରମଣକୁ ବିରୋଧ କରି ପାଲେଷ୍ଟାଇନର ମାନବ ଅଧିକାର ସମ୍ବନ୍ଧରେ ସ୍ୱର ଉତ୍ତୋଳନ କରୁଛି । କିନ୍ତୁ ପାକିସ୍ତାନର ଓ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ଯେଉଁପରି ନିର୍ଯାତନା ଦିଆଯାଉଛି, ସେ ସମ୍ବନ୍ଧରେ ମୌନ ରହୁଛି । ଏପରିକି ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ପାକିସ୍ତାନ ଓ ବଙ୍ଗଳାଦେଶରୁ ପ୍ରତାଡିତଙ୍କ ପାଇଁ ନାଗରିକତା ସଂଶୋଧନ ଅଧିନିୟମକୁ ଏହି ସଂସ୍ଥା ବିରୋଧ କରୁଛି । ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’ ଓ ‘କେରଳା ଷ୍ଟୋରୀ’କୁ ମଧ୍ୟ ଘୋର ବିରୋଧ କରୁଛି । ଭାରତରେ ମୋଦୀ ଶାସନରେ ଗଣତନ୍ତ୍ର ବିପନ୍ନ ବୋଲି ବିମର୍ଶ ନିର୍ମାଣ କରୁଛି ।
    ଏହି ସଙ୍ଗଠନର ପ୍ରତିଷ୍ଠାତା ସଦସ୍ୟମାନେ ହେଲେ ସୁନିତା ବିଶ୍ୱନାଥନ, ରାଜୁ ରାଜଗୋପାଳ, ଦୀପକ ଗୁପ୍ତା, ସପ୍ତଗିରି ଆୟଙ୍ଗର, ସୁନୀଲ ସାଖାଲକର ଓ ପୁଣ୍ୟ ଉପାଧ୍ୟାୟ । ଉପଦେଷ୍ଟା ମଣ୍ଡଳୀ ସଦସ୍ୟମାନେ ରାଜମୋହନ ଗାନ୍ଧୀ, ଟି.ଏମ କୃଷ୍ଣା, ମାର୍ଟିନ ମକୱାନ, ଫୈସଲ ଖାଁ, ପ୍ରଫେସର ଅପୂର୍ବାନନ୍ଦ, ଲିଣ୍ଡା ହେସ, ସ୍ୱରା ଭାସ୍କର, ଖଲିଲ ଆନିସ ଆନ୍ସାରୀ । ଏମାନେ ସମସ୍ତେ ଭାରତର ରାଷ୍ଟ୍ରବାଦକୁ ବିରୋଧ କରନ୍ତି । ଏମାନେ ପ୍ରଚ୍ଛଦପଟ୍ଟରେ ଭାରତ ବିରୋଧୀ ଗତିବିଧିରେ ଲିପ୍ତ । ନରେନ୍ଦ୍ର ମୋଦୀ ୨୦୧୯ରେ ଦ୍ୱିତୀୟ ଥର ନିର୍ବାଚିତ ହେବା ପରେ ଏହି ସଙ୍ଗଠନ ଗଠନ ହୋଇ ଭାରତରେ ଭାରତ ବିରୋଧୀ ବିମର୍ଶ ନିର୍ମାଣ କରୁଛି । ନରେନ୍ଦ୍ର ମୋଦୀଙ୍କ ଯୋଗୁଁ ଭାରତରେ ଗଣତନ୍ତ୍ର ବିପନ୍ନ ବୋଲି କହି ଆମେରିକାରେ ଏମାନେ ଜନଜାଗରଣ କରୁଛନ୍ତି । ଏହି ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଅପୂର୍ବାନନ୍ଦଙ୍କ ନାମ ଦିଲ୍ଲୀ ଦଙ୍ଗାରେ ଦେଖାଦେଇଥିଲା । ଜନୈକ ମହିଳା ସାକ୍ଷ୍ୟ ପ୍ରମାଣ ଦେଇ କହିଛନ୍ତି ଯେ ଅପୂର୍ବାନନ୍ଦ ବୁର୍ଖା ପରିହିତା ବହୁ ମହିଳାମାନଙ୍କୁ ଏକତ୍ର କରି ଦଙ୍ଗାରେ ଜଡିତ କରାଇଥିଲେ ।
    ଆଶ୍ଚର୍ଯ୍ୟର କଥା ହିନ୍ଦୁମାନଙ୍କ ମଧ୍ୟରେ ଜାତିଭେଦ ଦୂର କରିବା ପାଇଁ ଏହି ସଂସ୍ଥା ସଙ୍ଗଠିତ ହୋଇଥିଲା । କାଲିଫର୍ଣ୍ଣିଆର ଗଭର୍ଣ୍ଣର ନିକଟରେ ହିନ୍ଦୁମାନଙ୍କ ବିରୋଧରେ ଜାତିଗତ ବିଦ୍ୱେଷ ଅଧିନିୟମ ସଂସଦରେ ଆଗତ କରିଥିଲେ । ଏହି ସଂଖ୍ୟାଗରିଷ୍ଠତା ଅଭାବରୁ ନିଷ୍ପ୍ରଭାବ ହୋଇଥିବା ଯୋଗୁଁ ଏହି ସଂସ୍ଥା ଘୋର ଦୁଃଖପ୍ରକାଶ କରିଛି । ଏହି ସଂସ୍ଥାର କର୍ମକର୍ତ୍ତାମାନେ ୨୦୨୧ରେ ଆମେରିକାର ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଡିସମେଣ୍ଟାଲିଂ ଗ୍ଲୋବାଲ ହିନ୍ଦୁତ୍ୱ ଉପରେ ତିନିଦିନିଆ ସେମିନାର ଆୟୋଜନ କରିଥିଲେ । ଏମାନେ ଭାରତର ହିନ୍ଦୁତ୍ୱକୁ ଫାସୀବାଦ ଓ ନାଜିବାଦ ସହିତ ତୁଳନା କରିଥିଲେ ।
    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ପ୍ରବାସକୁ ବିଫଳ କରିବା ପାଇଁ ଏମାନେ ସମସ୍ତ ପ୍ରକାର ପ୍ରଚେଷ୍ଟା କରନ୍ତି । ଗତ ଜୁନ ମାସରେ ମୋଦୀଙ୍କ ଆମେରିକା ପ୍ରବାସ ପୂର୍ବରୁ ଏମାନେ ବହୁ ସଂଖ୍ୟାରେ ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରପତି ବାଇଡେନଙ୍କୁ ପ୍ରଦାନ କରିଥିଲେ । ଏମାନେ ଉଲ୍ଲେଖ କରିଥିଲେ ଯେ ମୋଦୀଙ୍କ ଯୋଗୁଁ ଭାରତରେ ଗଣତନ୍ତ୍ର ବିପନ୍ନ । ଏଣୁ ବାଇଡେନ ମୋଦୀଙ୍କ ସହିତ କୌଣସି ସମ୍ପର୍କ ରକ୍ଷା କରିବା ଅନୁଚିତ । କେବଳ ସେତିକି ନୁହେଁ ଏମାନେ ମୋଦୀଙ୍କ ହସ୍‌ଟନ ଓ ଟେକ୍ସାସ ଠାରେ ଭାରତୀୟ ମାନଙ୍କୁ ଭାଷଣ ପ୍ରଦାନ କରୁଥିବା ହଲର ବାହାରେ ପ୍ରଦର୍ଶନ କରୁଥିଲେ । ‘ଗୋ ବ୍ୟାକ୍ ମୋଦୀ’, ‘ହିନ୍ଦୁତ୍ୱ ଇଜ୍ ଆଣ୍ଟି ହିନ୍ଦୁ’, ‘ଡେମୋକ୍ରାସି ଇଜ୍ ଗ୍ରେଟ ଇନ ଇଣ୍ଡିଆ’ ସ୍ଲୋଗାନ ଲେଖା ପ୍ଲାକାର୍ଡ ପ୍ରଦର୍ଶନ କରୁଥିଲେ । ଭାରତର ସଫଳ କୂଟନୀତି ଯୋଗୁଁ ଭାରତ-ଆମେରିକା ସମ୍ପର୍କ ନିବିଡ ହୋଇଛି । ଏହାକୁ ଏମାନେ ସ୍ୱୀକାର କରିପାରୁ ନାହାନ୍ତି ।
    ଭାରତର ସଂସଦରେ ଯେତେବେଳେ ନାଗରିକତା ସଂଶୋଧନ ଅଧିନିୟମ ସ୍ୱୀକୃତ ହେଲା, ଏହି ସଙ୍ଗଠନ ପକ୍ଷରୁ ୱାସିଂଟନ ଠାରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅଧିନିୟମ ସଂଖ୍ୟାଲଘୁ ବିରୋଧୀ ଓ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ମୋଦୀ ସରକାର ସଂଖ୍ୟାଲଘୁ, ଦଳିତ ଓ ଦୁର୍ବଳ ସମାଜ ବିରୋଧରେ ଅନ୍ୟାୟ କରୁଛନ୍ତି ବୋଲି ଏମାନେ ମତପୋଷଣ କରିଥିଲେ ।
    ଏହି ସଙ୍ଗଠନ ଭାରତର ବିଚାର ବିଭାଗ ଉପରେ ମଧ୍ୟ ହସ୍ତକ୍ଷେପ କରୁଛି । ନିକଟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ସମଲିଙ୍ଗୀ ବିବାହ ମାମଲାକୁ ଖାରଜ କରିବା ପରେ ଏମାନେ ଅତ୍ୟନ୍ତ ବ୍ୟଥିତ । ସମଲିଙ୍ଗୀ ବିବାହ ଆଇନ ପ୍ରଣୟନ ହେବା ଅତ୍ୟନ୍ତ ଜରୁରୀ ବୋଲି ଏମାନେ ମତପୋଷଣ କରନ୍ତି । କେବଳ ସେତିକି ନୁହେଁ ଏହି ସଙ୍ଗଠନର କର୍ମକର୍ତ୍ତାମାନେ ସର୍ବୋଚ୍ଚ ନ୍ୟାୟାଳୟର କେତେକ ରାୟକୁ ଅତୀତରେ ଭର୍ତ୍ସନା କରିଥିଲେ । ନରେନ୍ଦ୍ର ମୋଦୀଙ୍କ ବିରୋଧରେ କାର୍ଯ୍ୟରତ ଥିବା ଗୁଜୁରାଟ ଆଇ.ପି.ଏସ ଅଫିସର ଶ୍ରୀ ସଞ୍ଜୀବ ଭଟ୍ଟଙ୍କୁ ଯଥାଶୀଘ୍ର ଜାମିନ ପ୍ରଦାନ କରିବା ପାଇଁ ଏମାନେ ସର୍ବୋଚ୍ଚ ଅଦାଲତକୁ ଗୁହାରୀ କରିଥିଲେ । ଶ୍ରୀ ଭଟ୍ଟ ଏକ ହତ୍ୟା ମାମଲାରେ କାରାଦଣ୍ଡ ଭୋଗୁଥିଲେ । ଶ୍ରୀ ଭଟ୍ଟ ଏକ ସତ୍ୟପାଠ କରି ଦର୍ଶାଇଥିଲେ ଯେ ୨୦୦୨ ଗୁଜୁରାଟ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ଆଦେଶ ପ୍ରଦାନ କରିଥିଲେ ଯେ ଦଙ୍ଗାକାରୀ ହିନ୍ଦୁମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଉ । ଏହି ସତ୍ୟପାଠ ଆଧାରରେ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଏସ.ଆଇ.ଟି ଗଠନ କରିଥିଲା । ଏହି ଏସ.ଆଇ.ଟି ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲା ଯେ ଏପରି କୌଣସି ଆଦେଶ କିମ୍ବା କାର୍ଯ୍ୟ ମୁଖ୍ୟମନ୍ତ୍ରୀ କରିନାହାନ୍ତି । କିଛିଦିନ ପୂର୍ବେ ମହାରାଷ୍ଟ୍ରର ଭୀମା କୋରେଗାଓଁ ଠାରେ ଯେଉଁ ଦଙ୍ଗା ସଙ୍ଗଠିତ ହୋଇଥିଲା, ସେଥିରେ କେତେକ ସହରୀ ନକ୍ସଲମାନଙ୍କ ପ୍ରଚ୍ଛନ୍ନ ହାତ ଥିଲା ବୋଲି ପୁଲିସ ତଦନ୍ତରୁ ଜଣାଗଲା । ଏଣୁ କେତେକ ସହରୀ ନକ୍ସଲ ଯଥା ଡ. ଆନନ୍ଦ ତେଲତୁମ୍ବଡେ, ଗୌତମ ନବଲେଖା ଓ ସୁଧା ଭରଦ୍ୱାଜ ଆଦି ମାନେ ଗିରଫ ହୋଇଥିଲେ । ଏହି ସହରୀ ନକ୍ସଲମାନେ ନିରୀହ ଓ ଏମାନେ ପ୍ରତିଷ୍ଠିତ ବୁଦ୍ଧିଜୀବୀ । ଏଣୁ ଏମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ଏହି ସଙ୍ଗଠନ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଗୁହାରୀ କରାଯାଇଥିଲା ।
    ଭାରତରେ କେତେକ ସାଧୁସନ୍ଥମାନେ ସଂଖ୍ୟାଲଘୁ, ଦଳିତ ଓ ଜନଜାତିମାନଙ୍କ ବିରୋଧରେ ଘୃଣା ମନ୍ତବ୍ୟ ପ୍ରଦାନ କରୁଛନ୍ତି । ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏହି ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଅପିଲ କରାଯାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ସ୍ୱୀକାର କରି କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କୁ ଆଦେଶ ପ୍ରଦାନ କରିଛନ୍ତି ଯେ ଘୃଣିତ ମନ୍ତବ୍ୟ (ହେଟ୍ ସ୍ପିଚ୍‌) ପ୍ରଦାନ କରୁଥିôବା ବ୍ୟକ୍ତିବିଶେଷ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ସଙ୍ଗଠନ ପକ୍ଷରୁ ଆମେରିକାରେ ଥିବା କେତେକ ସମ୍ବାଦପତ୍ର ଓ ସାମାଜିକ ଗଣମାଧ୍ୟମରେ (ସୋସିଆଲ ମିଡିଆ) ପ୍ରକାଶ କରୁଛି ଯେ ଭାରତରେ ହିନ୍ଦୁମାନେ କିପରି ସଂଖ୍ୟାଲଘୁ, ଦଳିତ ଓ ଜନଜାତି ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ।
    ଏହିପରି ‘ହିନ୍ଦୁଜ୍ ଫର୍ ହ୍ୟୁମାନ୍ ରାଇଟସ’ ନାମ ରଖି ହିନ୍ଦୁମାନଙ୍କ ମାନବାଧିକାର ସୁରକ୍ଷା ପ୍ରଦାନ କରିବାର ମୁଖା ପିନ୍ଧି ଏହାର କର୍ମକର୍ତ୍ତାମାନେ ଦେଶରେ ଓ ବିଦେଶରେ ହିନ୍ଦୁବିରୋଧୀ ଓ ଭାରତବିରୋଧୀ କାର୍ଯ୍ୟ କରୁଛନ୍ତି । ଏହିପରି ବହୁ ସଙ୍ଗଠନ ଆମେରିକାରେ କାର୍ଯ୍ୟ କରୁଛି । ଏମାନଙ୍କର ମୁଖ୍ୟ ଶତ୍ରୁ ଶ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କୁ ବିରୋଧୀ କରିବା ସହିତ ଏମାନେ ହିନ୍ଦୁ ଓ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି । ନିକଟରେ ମୋଦୀ ସରକାର ଏହି ‘ହିନ୍ଦୁଜ୍ ଫର ହ୍ୟୁମାନ ରାଇଟସ’ ଓ ‘ଇଣ୍ଡିଆନ ଆମେରିକାନ ମୁସଲିମ୍ କାଉନସିଲ’ ନାମକ ଦୁଇଟି ସଂସ୍ଥାର ସୋସିଆଲ ମିଡିଆ, ଇନଷ୍ଟ୍ରାଗ୍ରାମ ଓ ଟ୍ୱିଟର (ଏକ୍ସ) ଆକାଉଣ୍ଟକୁ ରଦ୍ଦ କରିଛନ୍ତି । କିନ୍ତୁ ଏମାନେ ଧାର୍ମିକ ହିନ୍ଦୁମାନଙ୍କୁ ଦେଶ ଓ ବିଦେଶରେ ବଦନାମ କରିବା ସହିତ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ଦୁଷ୍ପ୍ରଚାର କରୁଛନ୍ତି । ଭାରତରେ ବୁଦ୍ଧିଜୀବୀମାନଙ୍କୁ ଭ୍ରମିତ କରିବା ପାଇଁ ହିନ୍ଦୁବିରୋଧୀ ବିମର୍ଶ ନିର୍ମାଣ କରୁଛନ୍ତି । ଏଣୁ ଦେଶର ସଜ୍ଜନ ଶକ୍ତି ଏହା ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ।
    ଆଡଭୋକେଟ
    ଖଟବିନସାହି, କଟକ
    ମୋ-୯୪୩୭୦୧୬୩୮୪

Leave a Reply