Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ

କଟକ : ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ନିୟମିତ ଯୋଗାଭ୍ୟାସ ଓ ଯୋଗାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ନିୟମିତ ଯୋଗାଭ୍ୟାସ କରୁଥିବା ବ୍ୟକ୍ତି ପ୍ରାୟତଃ ରୋଗ କବଳିତ ହୁଅନ୍ତି ନାହିଁ । ଦୀର୍ଘଜୀବନ ସୁସ୍ଥ ଓ ନୀରୋଗ ରହିବାକୁ ହେଲେ ନିୟମିତ ଭାବେ ଯୋଗାସନ ଓ ଯୋଗାଭ୍ୟାସ କରିବା ନିହାତି ଜରୁରୀ । କେବଳ ଏହି କାରଣରୁ ବିଶିଷ୍ଟ ଯୋଗଗୁରୁ ପତଂଜଳି ଯୋଗପୀଠର ପ୍ରତିଷ୍ଠାତା ବାବା ରାମଦେବଙ୍କ ସମେତ ଅନ୍ୟ ବହୁତ ଯୋଗୀ ସନ୍ନ୍ୟାସୀ ନୀରୋଗ ଜୀବନ ଯାପନ କରୁଛନ୍ତି । ଏଣୁ ସମସ୍ତ ବିଦ୍ୟାର୍ଥୀ ସେମାନଙ୍କ ସୁସ୍ଥ ନିରାମୟ ଓ ନୀରୋଗ ଜୀବନଯାପନ ପାଇଁ ନିୟମିତ ଭାବେ ଯୋଗାଭ୍ୟାସ ଓ ଯୋଗାସନ କରିବା ନିହାତି ଆବଶ୍ୟକ ବୋଲି ବିଶିଷ୍ଟ ଅତିଥି ଓ ବକ୍ତାମାନେ ସ୍ଥାନୀୟ ଗତିରାଉତପାଟଣାସ୍ଥିତ ଆବାସିକ ବିଦ୍ୟାଳୟ ସରସ୍ୱତୀ ବିଦ୍ୟାମନ୍ଦିର, କେଶବଧାମ ପରିସରରେ ଗତ ୨୭ ତାରିଖ ସଂଧ୍ୟାରୁ ଆୟୋଜିତ ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ୩୪ ତମ ଅଖିଳ ଭାରତୀୟ ଯୋଗାସନ ଖେଳକୁଦ ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଗତକାଲି ୩୧ ତାରିଖ ରେ ଆୟୋଜିତ ଏହି ଯୋଗାସନ ସମାରୋହର ଉଦଯାପନ କାର୍ଯ୍ୟକ୍ରମରେ କିଟ୍ ଡିମଡ୍ ବିଶ୍ୱବିଦ୍ୟାଳୟର ଡିନ୍ ଡଃ ସଂଜୟ କୁମାର ପଣ୍ଡା-ମୁଖ୍ୟ ଅତିଥି, ପତଂଜଳି ଯୋଗପୀଠର ଓଡିଶା ପ୍ରଦେଶ ପ୍ରମୁଖ ସୁଧାଂଶୁ ଅଧିକାରୀ-ମୁଖ୍ୟ ବକ୍ତା, ଏହି ଯୋଗାସନ ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ରବି ଜୀ, ଖେଳ ସଂଯୋଜକ ରାଜେଶ ଜୀ ଓ ଏହି ଯୋଗାସନ ସମାରୋହର ଖେଳ ଅଧିକାରୀ ବିଭୂତି ଭୂଷଣ ଦାଶ- ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ବିଦ୍ୟାଭାରତୀ ପୂର୍ବ କ୍ଷେତ୍ରର ଅଧ୍ୟକ୍ଷ ଡଃ ଲକ୍ଷ୍ମୀକାନ୍ତ ମହାରଣା ଅଧ୍ୟକ୍ଷତା କରିଥିଲେ ଓ ଆୟୋଜକ ସରସ୍ୱତୀ ବିଦ୍ୟାମନ୍ଦିର ପରିଚାଳନା ସମିତିର କୋଷାଧ୍ୟକ୍ଷ ତଥା ଉତ୍ତରପୂର୍ବ ସମ୍ଭାଗ ସମିତି ସଦସ୍ୟା ଇନ୍ଦୁମତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗତ ୨୮ ତାରିଖରେ ଆୟୋଜିତ ଏହି ଯୋଗାସନ ସମାରୋହର ଉଦଘାଟନୀ କାର୍ଯ୍ୟକ୍ରମରେ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଫିଜିଓଲୋଜି ବିଭାଗ ମୁଖ୍ୟ ଡାଃ ଅର୍ପିତା ପ୍ରିୟଦର୍ଶିନୀ ତ୍ରିପାଠୀ-ମୁଖ୍ୟ ଅତିଥି, ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ର ସଙ୍ଗଠନ ମନ୍ତ୍ରୀ ଦିବାକର ଘୋଷ-ମୁଖ୍ୟ ବକ୍ତା, ଏହି ଯୋଗାସନ ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ରବି ଜୀ, ଖେଳ ସଂଯୋଜକ ରାଜେଶ ଜୀ ଓ ଏହି ଯୋଗାସନ ସମାରୋହର ଖେଳ ଅଧିକାରୀ ବିଭୂତି ଭୂଷଣ ଦାଶ- ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ ଭାରତୀୟ ସହ-ସଦଭାବନା ପ୍ରମୁଖ ଗୋପାଳ ପ୍ରସାଦ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ବିକାଶ ସମିତି, ଓଡିଶାର ସଙ୍ଗଠନ ମନ୍ତ୍ରୀ ତାରକ ଦାସ ସରକାର, ସଭାପତି କିଶୋର ଚନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ କମଳାକାନ୍ତ ମିଶ୍ର, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ, ପୂର୍ବୋତ୍ତର ସମ୍ଭାଗ ସଭାପତି ଅମୂଲ୍ୟ କୁମାର ନାୟକ, ସମ୍ପାଦକ ମହେନ୍ଦ୍ର କୁମାର ଘଡେଇ, ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ, ସହ ଶାରୀରିକ ସଂଯୋଜକ ସଂଜୟ କୁମାର ମିଶ୍ର, ବିଦ୍ୱତ ପରିଷଦ ସଂଯୋଜକ ଅଶ୍ୱିନୀ କୁମାର ନାୟକ, ପରୀକ୍ଷା ସଂଯୋଜକ ମନୋଜ କୁମାର ଦାଶ, ପରୀକ୍ଷା ସହ ସଂଯୋଜକ ରୁଦ୍ର ନାରାୟଣ ବେହେରା, କ୍ଷେତ୍ରୀୟ ସଙ୍ଗୀତ ସଂଯୋଜକ ପି.ମୋହନ ରାଓ ପାତ୍ର, ପ୍ରାନ୍ତ ସଙ୍ଗୀତ ସଂଯୋଜକ ଜିତେନ୍ଦ୍ର କୁମାର ପଣ୍ଡା, ମଧ୍ୟ ସମ୍ଭାଗ ସଂଯୋଜକ ମଧୁସୂଦନ ବାରିକ, ଉତ୍ତର- ପୂର୍ବ ସମ୍ଭାଗ ସଂଯୋଜକ ତଥା ଏହି ସମାରୋହର ସର୍ବ ବ୍ୟବସ୍ଥା ପ୍ରମୁଖ ତୁଷାର ରଂଜନ ଦାଶ, ପୂର୍ବ ସମ୍ଭାଗ ସଂଯୋଜକ ଶିରୀଷ କୁମାର ହାତୀ, ପୂର୍ବୋତ୍ତର ସମ୍ଭାଗ ସଂଯୋଜକ ବିଭୂତି ପାଇକରାୟ, ଖୋର୍ଦ୍ଦା ବିଭାଗ ନିରୀକ୍ଷକ ନୃସିଂହ ଚରଣ ମିଶ୍ର, କଟକ ବିଭାଗ ନିରୀକ୍ଷକ ରାହାସ ବିହାରୀ ମହାପାତ୍ର, ଯାଜପୁର ବିଭାଗ ନିରୀକ୍ଷକ ଜିତୁରାମ ମହାନ୍ତ, ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପଣ୍ଡା ଓ ସହ- ପ୍ରଧାନ ଆଚାର୍ଯ୍ୟ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖଙ୍କ ସମେତ ୨୧ ଜଣ ପ୍ରତିଯୋଗିତା ପରିଚାଳକ, ବିଦ୍ୟାଭାରତୀ ଦ୍ୱାରା ଦାୟିତ୍ୱପ୍ରାପ୍ତ ୩ ଜଣ ଖେଳ ଅଧିକାରୀ, ଦେଶର ବିଭିନ୍ନ ଭାଗରୁ ପ୍ରତିଭାଗୀ ଭାଇ ଭଉଣୀମାନଙ୍କୁ ଧରି ଆସିଥିବା ୭୩ ଜଣ ଆଚାର୍ଯ୍ୟ/ଆଚାର୍ଯ୍ୟା, ଟିମ ମ୍ୟାନେଜର/କୋଚ୍ ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରାୟ ୭୫ ଜଣ ଆଚାର୍ଯ୍ୟ ଓ ଅନ୍ୟାନ୍ୟ କର୍ମଚାରୀ ପୂର୍ଣ୍ଣ ସମୟ ଉପସ୍ଥିତ ରହି ଏହି ସମାରୋହକୁ ସଫଳ କରାଇବା ଦିଗରେ ଅହର୍ନିଶ ପ୍ରୟାସ ଜାରି ରଖିଥିଲେ । ଏହି ପ୍ରତିଯୋଗିତାରେ ସାରା ଦେଶର ୧୧ଟି କ୍ଷେତ୍ରରୁ ୩୧୬ ଜଣ ପ୍ରତିଭାଗୀ ଭାଗ ନେଇଥିବା ବେଳେ ବାଲ(ବାଳକ)ବିଭାଗରେ ମଧ୍ୟ କ୍ଷେତ୍ର, ବାଲ(ବାଳିକା)ବିଭାଗରେ ଦକ୍ଷିଣ ମଧ୍ୟ କ୍ଷେତ୍ର, କିଶୋର(ବାଳକ)ବିଭାଗରେ ଦକ୍ଷିଣ ମଧ୍ୟ କ୍ଷେତ୍ର, କିଶୋର(ବାଳିକା)ବିଭାଗରେ ପଶ୍ଚିମ ଉରପ୍ରଦେଶ କ୍ଷେତ୍ର, ତରୁଣ(ବାଳକ)ବିଭାଗରେ ପଶ୍ଚିମ ଉତ୍ତରପ୍ରଦେଶ କ୍ଷେତ୍ର, ଓ ତରୁଣ(ବାଳିକା)ବିଭାଗରେ ପଶ୍ଚିମ ଉତ୍ତରପ୍ରଦେଶ କ୍ଷେତ୍ର ମେଡାଲ ଓ ଟ୍ରଫି ଗ୍ରହଣପୂର୍ବକ ଚମ୍ପିୟନ ହୋଇ ଆଗାମୀ ଦିନରେ ଏସଜିଏଫଆଇ ପ୍ରତିଯୋଗିତାରେ ଭାଗ ନେବାର ଗୌରବ ଅର୍ଜନ କରିଥିବା ବେଳେ ଦକ୍ଷିଣ ମଧ୍ୟ କ୍ଷେତ୍ର ସର୍ବଚମ୍ପିୟନ ହୋଇ ଟ୍ରଫି ହାସଲ କରିଥିଲେ । ମାତୃଭାରତୀ ପକ୍ଷରୁ ମାଆମାନେ ଭୋଜନ ପରିବେଷଣ କରିଥିବା ବେଳେ ସମସ୍ତଙ୍କ ପାଇଁ ସୁମଧୁର କାକରା ପିଠା ବ୍ୟବସ୍ଥା କରିଥିଲେ । ବିଦ୍ୟାଭାରତୀ ଦ୍ୱାରା ଦାୟିତ୍ୱପ୍ରାପ୍ତ ପର୍ଯ୍ୟବେକ୍ଷକ ମା. ଋବି ଜୀ ଓ ଯୋଗାସନ ସଂଯୋଜକ ରାଜେଶ ଜୀ ଏହି ସମାରୋହର ଅଭୁତପୂର୍ବ ସଫଳତା ସମ୍ପର୍କରେ ସର୍ବସମ୍ମୁଖରେ ପ୍ରକାଶ କରିଥିବା ବେଳେ ଏହି ପ୍ରତିଯୋଗିତା ସହ ସମ୍ବନ୍ଧିତ ଓ ସମ୍ପର୍କିତ ସମସ୍ତେ ଏହାର ସଫଳତାକୁ ସ୍ୱୀକାର କରିଥିଲେ । ତେବେ ସମସ୍ତଙ୍କର ଅକ୍ଳାନ୍ତ ପରିଶ୍ରମ କାରଣରୁ ଏହି ସମାରୋହରେ କୌଣସି ପ୍ରକାର ସାମାନ୍ୟତମ ଅଭାବ ଅସୁବିଧା ବା ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୋଇ ନ ଥିବାରୁ ସମସ୍ତ ଅଧିକାରୀ ବେଶ ଆନନ୍ଦ ପ୍ରକାଶ କରିଛନ୍ତି । ଏହି ସମାରୋହର ଉତ୍ସାହଜନକ ସଫଳତା ପାଇଁ ଖେଳ ଅଧିକାରୀ ଶ୍ରୀ ଦାଶ ସମ୍ପୃକ୍ତ ସମସ୍ତଙ୍କୁ ଅଶେଷ ସାଧୁବାଦ ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି ।

Leave a Reply