-ସୌମେନ୍ଦ୍ର ଜେନା-
ନୂଆଦିଲ୍ଲୀ ଘୋଷଣାପତ୍ର ବିନାବାଧାରେ ଗୃହୀତ ହେବାପରେ ସମସ୍ତେ ଚକିତ ହୋଇଥିଲେ । ଏପରିକି ସାମ୍ବାଦିକମାନେ ଭାରତର ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଏ ସଂପର୍କରେ ପ୍ରଶ୍ନ ମଧ୍ୟ କରିଥିଲେ । ଏହାର ଉତ୍ତରରେ ଜୟଶଙ୍କର କହିଥିଲେ ଯେ ବାଲି ଥିଲା ବାଲି, କିନ୍ତୁ ଏହା ଯେ ନୂଆଦିଲ୍ଲୀ । ଅର୍ଥ ହେଉଛି ବାଲି କଥା ଭୁଲିଯାଅ । ନୂଆଦିଲ୍ଲୀ କଣ କରିପାରେ ତାହା କେବଳ ଦେଖ । ଏହି ଘୋଷଣାନାମାରେ ସଶକ୍ତ, ନିରନ୍ତର ଏବଂ ସନ୍ତୁଳିତ ବିକାଶ, ଆଗାମୀ ଭବିଷ୍ୟତ ପାଇଁ ପ୍ରଦୂଷଣମୁକ୍ତ ବିକାଶ ବୁଝାମଣା ଏକବିଂଶ ଶତାବ୍ଦୀ ପାଇଁ ବହୁପକ୍ଷୀୟ ଅନୁଷ୍ଠାନ ସ୍ଥାପନା, ବିବିଧତାପୂର୍ଣ୍ଣ ବିଶ୍ୱବ୍ୟବସ୍ଥା, ଆଫ୍ରିକୀୟ ସଂଘକୁ ବିଶ୍ୱ ଆଲୋଚନାରେ ଭାଗିଦାରୀ କରିବା, କ୍ରିପ୍ଟୋ ମୁଦ୍ରା ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ ଆଦି ରହିଥିଲା । ଆତଙ୍କବାଦର ନିନ୍ଦା, ଧାର୍ମିକ ପୁସ୍ତକ ଓ ପ୍ରତୀକକୁ ଘୃଣାର ନିନ୍ଦା, ଶ୍ରୀଲଙ୍କା, ଘାନା ଏବଂ ଜାମ୍ବିଆପରି ରାଷ୍ଟ୍ରର ଆବଶ୍ୟକତା ପ୍ରତି ଧ୍ୟାନଦେବା ପରି ବିଷୟ ସେଥିରେ ଉଲ୍ଲେଖ ଥିଲା । କନ୍ୟା ଓ ମହିଳାମାନଙ୍କ ଅଧିକାରର ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଯୋଗୁ ପଡୁଥିବା ପ୍ରଭାବ ଏବଂ ଲିଙ୍ଗଗତ ସମାନତାକୁ ଅଧିକ ଗୁରୁତ୍ୱ ଦେଇ ଚିନ୍ତା କରିବାକୁ ଉଲ୍ଲେଖ ଥିଲା । ଛୋଟ ବଡ ଅସ୍ତ୍ରଶସ୍ତ୍ରର ଚୋରାଚାଲାଣକୁ ରୋକିବା ପାଇଁ ଏଫ୍ଏଟିଏଫ୍ ପରି କାର୍ଯ୍ୟରତ ସଂସ୍ଥାର ଆର୍ôଥକ ବ୍ୟବସ୍ଥାକୁ ଠିକ୍ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗତ କିଛିବର୍ଷ ହେବ ଦକ୍ଷିଣ ବିଶ୍ୱ କଥା ଅନେକ ବିଶ୍ୱମଞ୍ଚରେ କହିଆସୁଥିଲେ । ଏହି ବୈଠକପରେ ଭାରତ ପ୍ରକୃତରେ ଦକ୍ଷିଣ ବିଶ୍ୱର ନେତା ଭାବେ ନିଜକୁ ପ୍ରତିଷ୍ଠା କରିବାକୁ ସକ୍ଷମ ହୋଇଛି । କେବଳ ଏତିକି ନୁହେଁ ଆଫ୍ରିକୀୟ ସଂଘକୁ ଜି୨୦ରେ ସ୍ଥାୟୀ ସଦସ୍ୟତା ଦେବାଲାଗି ନରେନ୍ଦ୍ର ମୋଦି ପୂର୍ବରୁ ଯୁକ୍ତି କରି ଆସୁଥିଲେ । ଏପରିକି ଜାତିସଂଘରେ ମଧ୍ୟ ଆଫ୍ରିକାର ପ୍ରତିନିଧିତ୍ୱକୁ ପ୍ରାଥମିକତା ଦେବାଲାଗି ସେ ଯୁକ୍ତି ବାଢି ଆସିଛନ୍ତି । ନୂଆଦିଲ୍ଲୀ ବୈଠକରେ ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ଦାୟିତ୍ୱରେ ଥିବା କୋମୋରୋସ ରାଷ୍ଟ୍ରପତି ଅଜାଲି ଅସୌମାନୀଙ୍କୁ ମୋଦି ଯେପରି ୨୧ତମ ସ୍ଥାୟୀ ସଦସ୍ୟଭାବେ ବୈଠକରେ ବସିବାଲାଗି ଆହ୍ୱାନ କରି ତାଙ୍କୁ ସ୍ୱତନ୍ତ୍ର ଆସନ ଦେଇଥିଲେ ତାହା ଚର୍ଚ୍ଚାର କେନ୍ଦ୍ର ହୋଇଥିଲା । ଏହି ପଦକ୍ଷେପ ଯୋଗୁ ଜି୨୦ ଗୋଷ୍ଠୀ ଜି ୨୧ ହେବା ସହ ୧୨୫ ରାଷ୍ଟ୍ରକୁ ସାଙ୍ଗରେ ନେବାର ସୁଯୋଗ ସୃଷ୍ଟି କଲା । ଏହାଛଡା ଆମେରିକା, ରୁଷିଆ, ୟୁରୋପ, ଚୀନ ଆଦି ରାଷ୍ଟ୍ରଗୁଡିକର ଚାପସତ୍ତ୍ୱେ ଭାରତ ସନ୍ତୁଳନ ରକ୍ଷାକରି ଯେପରି ଆଲୋଚନାକୁ ଉତ୍ତେଜନାମୁକ୍ତ ରଖିପାରିଲା ତାହା ଭାରତର କୂଟନୀତିକ ଦକ୍ଷତାକୁ ପୁନର୍ବାର ପ୍ରମାଣିତ କରିଛି । ଗୋଟିଏ ତୀରରେ ଭାରତ ଅନେକ ଲକ୍ଷ୍ୟ ସାଧନ କରିବାକୁ ପ୍ରୟାସ କରିଛି । ଆଫ୍ରିକାରେ ଭାରତର ପ୍ରଭାବ ବୃଦ୍ଧି କରିବା, ବିଶ୍ୱମଞ୍ଚରେ ୫୦ରୁ ଅଧିକ ଆଫ୍ରିକୀୟ ରାଷ୍ଟ୍ରଙ୍କ ସମର୍ଥନ ଲାଭ କରିବା, ଆଗାମୀ ଦିନରେ ଆଫ୍ରିକାର ବିକାଶରେ ଭାରତର ସହଯୋଗ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ସୁଯୋଗ ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି ବୋଲି କହିଲେ ଠିକ୍ ହେବ । ଏହାର ଫଳାଫଳ ମଧ୍ୟ ମିଳିବାକୁ ଆରମ୍ଭ କରିଛି । ଆଫ୍ରିକାର ବଡରାଷ୍ଟ୍ର ନାଇଜେରିଆରେ ଭାରତ ତୈଳ ରିଫାଇନାରୀ ବସାଇବା, ଇସ୍ପାତ କାରଖାନା ବସାଇବା ପାଇଁ ପ୍ରତିଶ୍ରୁତି ଦେଇଛି । କେନିଆକୁ ବାଣିଜ୍ୟିକ ପୋତ ନିର୍ମାଣ ପାଇଁ ବୈଷୟିକ ଜ୍ଞାନ କୌଶଳ ଦେବାଲାଗି ମଧ୍ୟ ଭାରତ ନିକଟରେ ରାଜି ହୋଇଛି ।
ଏହି ଶିଖର ବୈଠକରେ ନରେନ୍ଦ୍ର ମୋଦି ସାଉଦି ଆରବ, ଅମିରାତ, ଆମେରିକାକୁ ନେଇ ଯେଉଁ ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ ଆର୍ôଥକ ମାର୍ଗର ଘୋଷଣା କଲେ ତାହା ଚୀନର ବେଲ୍ଟ ଏଣ୍ଡ୍ ରୋଡ ପ୍ରକଳ୍ପର ବିକଳ୍ପ ହେବ ବୋଲି କୁହାଯାଇଛି । କାରଣ ଭାରତ ୟୁରୋପ ସହ ସିଧାସଳଖ ବାଣିଜ୍ୟିକ ସଂପର୍କର ମାର୍ଗ ନପାଇବା ଯୋଗୁ ଆଜିଯାଏଁ ଅସୁବିଧାର ସମ୍ମୁଖୀନ ହୋଇଆସିଛି ଭାରତରୁ ୟୁରୋପ ପର୍ଯ୍ୟନ୍ତ ହେବାକୁ ଥିବା ସାମୁଦ୍ରିକ ଏବଂ ରେଳପଥ ମାଧ୍ୟମରେ ମୁମ୍ବାଇରୁ ଦୁବାଇର ଜାବେଲ ଅଲି ବନ୍ଦର ଦେଇ ଅଲ୍ ଘେୱେଫତ -ହରାଧ-ରିୟାଦ-ଅଲ୍ ହଦିଆ -ହାଇଫା ବନ୍ଦରଯାଏ ମାଲ ପରିବହନ ହୋଇ ସେଠାରୁ ଗ୍ରୀସର ପିରାଅସ୍ ବନ୍ଦର ଦେଇ ୟୁରୋପରେ ପ୍ରବେଶ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପଶ୍ଚିମ ଭାରତର ଅନେକ ବନ୍ଦରରୁ ମାଲ ସିଧାସଳଖ ଦୁବାଇ ଯାଇ ସେଠାରୁ ଆଗକୁ ଯାଇପାରିବ । ପ୍ରାୟ ୬୦୦୦କିମି ରେଳପଥ ନିର୍ମାଣରେ ଭାରତର ଜ୍ଞାନକୌଶଳ, ଅର୍ଥ ଏବଂ ଯୋଜନା ରହିବ । ଏହି ମାର୍ଗରେ ଇଣ୍ଟରନେଟ, ଗ୍ୟାସ ପାଇପଲାଇନ୍, ବିଦ୍ୟୁତ ଯୋଗାଣ ପାଇଁ ପାୱାର ଗ୍ରୀଡ ଲାଇନ ସମୁଦ୍ରରେ ବିଛାଯିବ । ତଦ୍ୱାରା ଭାରତର ବିଦ୍ୟୁତଶକ୍ତି ମଧ୍ୟପ୍ରାଚ୍ୟର ଅନେକ ଦେଶକୁ ଯାଇପାରିବ । ମଧ୍ୟପ୍ରାଚ୍ୟରେ ଏହି ପ୍ରକଳ୍ପ ଯୋଗୁ ଆଗାମୀ ଦିନରେ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବ । ଆଗାମୀ ୬୦ଦିନ ମଧ୍ୟରେ ଏହି ପ୍ରକଳ୍ପର ବିକାଶ ନେଇ ଆଲୋଚନା ହେବ ଏବଂ ପରବର୍ତ୍ତୀ ଜି୨୧ ବୈଠକ ଆଭାସୀ ବ୍ୟବସ୍ଥାରେ ନଭେମ୍ବରରେ ହେବା ସମ୍ଭାବନା ରହିଛି । ଏହି ବାଣିଜ୍ୟିକ ମାର୍ଗ ପରବର୍ତ୍ତୀ କାଳରେ ଆଫ୍ରିକୀୟ ରାଷ୍ଟ୍ରଗୁଡିକ ସହ ଭାରତକୁ ଯୋଡିପାରିବ । ଯାହା ଫଳରେ ଏହି ମାର୍ଗରେ ପ୍ରାୟ ୧୦୦ ଦେଶକୁ ଭାରତ ରପ୍ତାନି କରିବାକୁ ସକ୍ଷମ ହେବ ।
ଜି୨୦ର ଅନ୍ୟ ଏକ ସଫଳତା ହେଲା ଜୈବ ଇନ୍ଧନ ସାମ୍ମୁଖ୍ୟ ଗଠନ । ପେଟ୍ରୋଲକୁ ଶସ୍ତା କରିବା ଏବଂ ପ୍ରଦୂଷଣ ହ୍ରାସ ପାଇଁ ୨୦ ପ୍ରତିଶତ ଜୈବ ଇନ୍ଧନ ମିଶ୍ରଣ କରିବାରେ ଭାରତ ସଫଳ ହୋଇଛି । ୮୦ ପ୍ରତିଶତ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶାଇଲେ ପେଟ୍ରୋଲର ମୂଲ୍ୟହ୍ରାସ ସହ ପ୍ରଦୂଷଣ ହ୍ରାସ ହୋଇପାରୁଛି । ଏହି ଜ୍ଞାନକୌଶଳକୁ ବିକାଶଶୀଳ ରାଷ୍ଟ୍ରଙ୍କୁ ଦେବା ସହ ଏ କ୍ଷେତ୍ରରେ ନେତୃତ୍ୱ ନେବାକୁ ଭାରତର ଆଗ୍ରହ ରହିଛି । ବୈଠକ କାଳରେ ଆମେରିକା, ଅମିରାତ, ଦକ୍ଷିଣ ଆଫ୍ରିକା, ମରିସସ୍, ଇଟାଲୀ, ବ୍ରାଜିଲ, ବଙ୍ଗଳାଦେଶ, ଆର୍ଜେଣ୍ଟିନା ଏବଂ ଭାରତର ରାଷ୍ଟ୍ରମୁଖ୍ୟ ଏହି ସାମ୍ମୁଖ୍ୟରେ ସାମିଲ ହୋଇଥିଲେ । କାନାଡା ଏବଂ ସିଙ୍ଗାପୁର ଏଥିରେ ପରିଦର୍ଶନ ରାଷ୍ଟ୍ରଭାବେ ଯୋଗ ଦେଇଥିଲେ । ବିଗତ ଦିନରେ ପୃଥିବୀର ପ୍ରଥମ ମିଶ୍ରିତ ଇନ୍ଧନରେ ଚାଲୁଥିବା ମୋଟରଯାନକୁ ନିତିନ ଗଡକରୀ ପ୍ରଥମେ ଭାରତରେ ଚାଲୁକରିଥିଲେ । ଟୋୟୋଟା-ଇନୋଭା ହାଇକ୍ରସ ମଡେଲର ଗାଡି ଅଖୁରୁ ପ୍ରସ୍ତୁତ ଏହି ଇଥାନଲ ମିଶ୍ରିତ ଇନ୍ଧନରେ ଚାଲିପାରୁଛି । ୨୦୭୦ ସୁଦ୍ଧା ଭାରତ ପ୍ରଦୂଷଣମୁକ୍ତ ହେବାକୁ ଲକ୍ଷ୍ୟ ରଖିଥିବା ହେତୁ ଆଗାମୀ ଦିନରେ ଏହା ବେଶ୍ ସହାୟକ ହେବ । ମ୍ୟୁନିସିପାଲିଟୀର କଠିନ ବର୍ଯ୍ୟ, ଆଖୁ, ନଡା, ଚଷୁ ଆଦିରୁ ଇନ୍ଧନ ଉତ୍ପାଦନ ପାଇଁ ଏହି ପ୍ରକଳ୍ପ ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ବରଦାନ ହେବ । ଏହାଛଡା ଜୈବିକ ଗ୍ୟାସ ପ୍ରସ୍ତୁତି ପାଇଁ ପ୍ରୟାସ ଜାରି ଥିଲାବେଳେ ଶୁୁଦ୍ଧ, ପ୍ରଦୂଷଣ ରହିତ ଶକ୍ତି ଉତ୍ସ ବିକାଶ ପାଇଁ ସହାୟକ ହେବ ।
ଏହି ଶିଖର ବୈଠକ ପୂର୍ବରୁ ଚୀନ ସରକାର ନିଜର ବିବଦମାନ ମାନଚିତ୍ର ପ୍ରକାଶ କରିବା, ଚୀନ ରାଷ୍ଟ୍ରପତି ଭାରତ ଗସ୍ତ ରଦ୍ଦ କରିବା, ରୁଷିଆ ରାଷ୍ଟ୍ରପତି ପୁତିନ ଭାରତଗସ୍ତରେ ଆସିବାକୁ ମନା କରିବା ଦ୍ୱାରା ଗଣମାଧ୍ୟମରେ ଅନେକ ଉଡାଖବର ଏବଂ ସନ୍ଦେହ ପ୍ରକାଶ ପାଇଥିଲା । ଏପରିକି ବିରୋଧୀ ଦଳ କଂଗ୍ରେସର ଅନେକ ନେତା ଦେଶରୁ ବିଦେଶଯାଏଁ ଜି୨୦ର ବ୍ୟବସ୍ଥାକୁ ନେଇ ଆପତ୍ତି ଉଠାଇଥିଲେ । ଅନେକ ଅଯଥା ବକ୍ତବ୍ୟ ଦେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ଖଡ୍ଗେ ଏବଂ ସୋନିଆଙ୍କୁ ନିମନ୍ତ୍ରିତ କରା ନ ଯିବା କଥା କହିଥିଲେ । ରାହୁଳ ଗାନ୍ଧି ଦେଶଛାଡି ପୂର୍ବରୁ ବିଦେଶ ଚାଲିଯାଇ ସେଠାରେ ଭାରତ ବିରୋଧୀ ସାଂସଦମାନଙ୍କ ସହ ସାକ୍ଷାତ କରିଥିଲେ । କେତେକ କଂଗ୍ରେସୀ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ନଦେବାକୁ ମଧ୍ୟ ଘୋଷଣା କରିଥିଲେ । ଏସବୁ ସତ୍ତ୍ୱେ ଅନେକ ରାଜ୍ୟର ବିରୋଧୀଦଳର ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କ ଭୋଜିରେ ଯୋଗ ଦେଇଥିଲେ । ବିହାରର ନୀତିଶ କୁମାର ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତାଙ୍କୁ ଜୋ ବାଇଡେନ୍ଙ୍କ ସହ ନରେନ୍ଦ୍ର ମୋଦି ପରିଚୟ କରାଇବା ଦୃଶ୍ୟ ଅନେକଙ୍କୁ ଚକିତ କରିଥିଲା ।
ଜି ୨୦ ବୈଠକ ଆୟୋଜନସ୍ଥଳୀରେ ଭାରତର ଐତିହ୍ୟସ୍ଥଳୀର ଝଲକ ରହିଥିଲା । ପ୍ରତିନିଧିମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି କୋଣାର୍କର ଚକ୍ର ଲାଗିଥିବା ସ୍ଥାନରେ ଛିଡା ହୋଇ ସ୍ୱାଗତ କରିବା ସହ ଜୋ ବାଇଡେନଙ୍କୁ ସୂର୍ଯ୍ୟମନ୍ଦିରର ଗୁରୁତ୍ୱ ଏବଂ ପ୍ରାଚୀନ ମୂର୍ତ୍ତିକଳା ସଂପର୍କରେ ବୁଝାଉଥିବା ଦେଖାଯାଇଥିଲା । ସେମିତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ନାଳନ୍ଦାର ଛବି ଲାଗିଥିବା ସ୍ଥାନରେ ରାଷ୍ଟ୍ରନେତାମାନଙ୍କୁ ଡାକି ପ୍ରଧାନମନ୍ତ୍ରୀ ମୋଦି ଫଟୋ ଉଠାଉଥିବା ପଛରେ ସାଂସ୍କୃତିକ ସନ୍ଦେଶ ରହିଥିଲା । ଭାରତର ପ୍ରାଚୀନ ବିଶ୍ୱବିଦ୍ୟାଳୟ ଓ ଗବେଷଣାସ୍ଥଳୀ ସହ ବିଶ୍ୱକୁ ପରିଚିତ କରାଇବା ଥିଲା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ଠିକ୍ ସେହିପରି ଭିନ୍ନ ଭିନ୍ନ ରାଜ୍ୟର ଶିଳ୍ପୀମାନଙ୍କର ସ୍ୱତନ୍ତ୍ର ଷ୍ଟଲ ଖୋଲି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପକୁ ବିଶ୍ୱର ନେତୃବୃନ୍ଦଙ୍କୁ ଦେଖାଇବା ଲାଗି ଯେପରି ବ୍ୟବସ୍ଥା ହୋଇଥିଲା ତଦ୍ୱାରା ଅନେକ ଶିଳ୍ପୀ ସିଧାସଳଖ ଏତେବଡ ମଞ୍ଚରେ ନିଜର କାରୁକାର୍ଯ୍ୟର ପ୍ରଦର୍ଶନ ପାଇଁ ସୁଯୋଗ ଲାଭ କଲେ ।
ସେହିପରି ରାଷ୍ଟ୍ରପତିଙ୍କ ଭୋଜିରେ ଦେଶର ଭିନ୍ନ ଭିନ୍ନ ରାଜ୍ୟର ୫୦୦ ପ୍ରକାର ବ୍ୟଞ୍ଜନ ୨୭୦୦ ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲ । ପ୍ରତିନିଧିମାନେ ଆମିଷମୁକ୍ତ ଏହି ୫୦୦ ପ୍ରକାରର ବ୍ୟଞ୍ଜନ ଦେଖି ମୁଗ୍ଧ ହେବା ସହ ଖାଇବାର ତୃପ୍ତି ଲାଭ କରିଥିଲେ । ଏଥିରେ ଆନ୍ଧ୍ରର ଦୋସା, ମହାରାଷ୍ଟ୍ରର ବଡାପାଓଁ, ବିହାରର ଲିଟିଚୋଖା, ପଞ୍ଜାବର ଡାଲି ତଡକା, ଜିରା ପଲାଉ, ଉତ୍ତରପ୍ରଦେଶର ମଶୁର ଡାଲି, ପନିର ତଡକା ଆଦିର ପରିବେଷଣ ହୋଇଥିଲା । ପ୍ରତିନିଧିମାନେ ଆଲୋଚନା, ଆୟୋଜନ ବ୍ୟବସ୍ଥା, ସାଂସ୍କୃତିକ ଦର୍ଶନ ଓ ବହୁବିଧ ଭୋଜନରେ ମୁଗ୍ଧ ହୋଇଥିଲେ । ରାଷ୍ଟ୍ରନେତାମାନେ ସାମୂହିକ ଭାବେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜଣାଇବା ଦୃଶ୍ୟ ଥିଲା ବଡ ଚମତ୍କାର । ବ୍ରାଜିଲର ରାଷ୍ଟ୍ରପତି ଲୁଲା ଦା ସିଲ୍ଭା ଶ୍ରଦ୍ଧାଞ୍ଜଳି ସମୟରେ ନିଜର ଭାବାବେଗକୁ ଅଟକାଇ ନପାରି ମହାତ୍ମାଗାନ୍ଧିଙ୍କ ସଂଗ୍ରାମ କିପରି ତାଙ୍କୁ ଶ୍ରମିକ ଆନ୍ଦୋଳନ ପାଇଁ ପ୍ରୋତ୍ସାହିତ କରିଥିଲା ତାହା ପ୍ରକାଶ କରିଥିଲେ ।
ବିଶ୍ୱମଞ୍ଚରେ ଦେଶକୁ ନୂଆ ନାମରେ ପରିଚିତ କରିଛନ୍ତି ନରେନ୍ଦ୍ର ମୋଦି । ଦେଶର ନାମ ‘ଇଣ୍ଡିଆ’ ବଦଳରେ ଏବେ ‘ଭାରତ’ ବ୍ୟବହାର ହେଲା । ସମ୍ବିିଧାନରେ ଥିବା ଇଣ୍ଡିଆ ଦ୍ୟାଟ ଇଜ୍ ଭାରତକୁ ଏବେ ବାସ୍ତବ ରୂପ ଦିଆଯାଇଛି । ସାଧାରଣଙ୍କ ନାମକୁ ଗ୍ରହଣ କରାଯାଇଛି । ନୂତନ ଭାରତକୁ ନୂଆ ନାମରେ ଜଗତ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଉପସ୍ଥାପନ କରିଛନ୍ତି । ଦେଶର ସ୍ୱାଭିମାନ, ସମ୍ମାନ, ଶକ୍ତି, ସହାନୁଭୂତି, ସମ୍ବେଦନା ସହ ଅନ୍ୟମାନଙ୍କୁ ପରିଚିତ କରାଇଛନ୍ତି । ୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର ରୂପରେ ଗଢି ତୋଳିବାର ସ୍ୱପ୍ନ ନେଇ ଚାଲିଥିବା ପ୍ରଧାନମନ୍ତ୍ରୀଙ୍କ ଏହା ଏକ ସଫଳ ପଦକ୍ଷେପ ନିଶ୍ଚୟ । ଜି୨୦ର ବିଶ୍ୱମଞ୍ଚକୁ ଭବିଷ୍ୟତ ଭାରତର ମୂଳଦୁଆ ପାଇଁ ସେ ଉପଯୋଗ କରିଛନ୍ତି । ଆମେରିକାରେ ୬ଜି ନେଟୱାର୍କର ପ୍ରସାର, ଦେଶରେ ବିଦେଶୀ ପ୍ରତିରକ୍ଷା ସାମଗ୍ରୀର ସେବା ଓ ନବୀକରଣ, ଯୁଦ୍ଧପୋତ ନିର୍ମାଣରେ ଆଧୁନିକ ଟେକ୍ନୋଲୋଜିର ଉପଯୋଗ ସହ ଭାରତକୁ ଆତ୍ମନିର୍ଭର କରି ଆତ୍ମାଭିମାନ ସ୍ତରକୁ ନେବାକୁ ପ୍ରୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱରେ ହିନ୍ଦୀ ଭାଷାରେ ଭାଷଣ ଦେଲାବେଳେ ଯେଉଁ ଭାରତର ବର୍ଣ୍ଣନା ବାରମ୍ବାର କରିଆସୁଥିଲେ ଏବେ ତା’ସହ ବିଶ୍ୱକୁ ମୁହାଁମୁହିଁ କରାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କର ଏହା ଏକ ମାଷ୍ଟରଷ୍ଟ୍ରୋକ୍ ନିଶ୍ଚୟ ।
ଜି୨୦ ଶିଖର ବୈଠକରେ ସଂସ୍କୃତର ବସୁଧୈବ କୁଟୁମ୍ବକମ୍ ବିଚାରକୁ ସ୍ଥାନ ଦେବାକୁ କେନ୍ଦ୍ର କରି ଚୀନ ସରକାର ପ୍ରଶ୍ନବାଚୀ ଛିଡା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମର୍ଥନ ପାଇନ ଥିଲେ । ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟନିଷ୍ଠା, ଆୟୋଜନରେ ବ୍ୟାପକତା, ସହମତି ସ୍ଥାପନରେ କୂଟନୀତିକ କୌଶଳର ଦକ୍ଷତା ଦେଖି ବିଶ୍ୱ ନେତୃବୃନ୍ଦ ଚକିତ ହୋଇଥିଲେ । ଏତେ କମ୍ ସମୟରେ ଏତେ ବିଷୟରେ ଆଲୋଚନା ଏବଂ ଏତେ ଭବିଷ୍ୟତ ଯୋଜନା ଦେଖି ସେମାନେ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ । କାଶ୍ମୀରରୁ କେରଳ, ଗୌହାଟୀରୁ ଗୁଜରାଟ ପର୍ଯ୍ୟନ୍ତ ଜି୨୦ ଗୋଷ୍ଠୀଗତ ବୈଠକର ଆୟୋଜନ କରି ଭାରତ ଯେଉଁ ମାଇଲଖୁଣ୍ଟ ସ୍ଥାପନ କରିଛି ତାକୁ ଅତିକ୍ରମ କରିବାକୁ ଅନ୍ୟମାନଙ୍କ ପାଇଁ ଅନେକ ସମୟ ଲାଗିବ ଏଥିରେ ସନ୍ଦେହ ନାହିଁ ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩