Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାହାଡ଼ କାଟି କେନାଲ ନିର୍ମାଣ କଲେ ଗ୍ରାମବାସୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାହାଡ଼ କାଟି କେନାଲ ନିର୍ମାଣ କଲେ ଗ୍ରାମବାସୀ

ରାୟଗଡ଼ା: ସରକାରଙ୍କୁ ଓ ପ୍ରଶାସନକୁ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ପାହାଡ଼ ଉପରେ ପଥର କାଟି କେନାଲ ଖୋଳି ଜମିରେ ପାଣି ମଡାଇଲେ ଗ୍ରାମବାସୀ । ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଗୋଡିବାଲି ପଞ୍ଚାୟତର ନୂଆଗାଁରେ ସରକାର ୧୦ ବର୍ଷ ତଳେ ଆଡ଼ିବନ୍ଧ ନିର୍ମାଣ କରିଥିଲେ । ନିର୍ମାଣର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ନୂଆଗାଁ ଲୋକଙ୍କ ଜମିକୁ ପାଣି ମଡାଇବା ପାଇଁ କେନାଲ ଖୋଳିପାରିଲେ ନାହିଁ । ବାରମ୍ବାର ସରକାର ଏବଂ ପ୍ରଶାସନ ନିକଟରେ ଗ୍ରାମବାସୀ କେନାଲ ନିର୍ମାଣ ନେଇ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଆଜିକାଲି କହି ଟାଳଟୁଳ ନୀତି ଅବଲମ୍ବନ କରିବା ପରେ ହାତରେ ଶାବଳ ଓ କଦାଳ ଧରି କେନାଲ ଖୋଳିବା ପାଇଁ ବାହାରିପଡିଲେ ଗ୍ରାମବାସୀ । ଗ୍ରାମରେ ଏକ ବୈଠକ କରି ସମସ୍ତେ ମିଳିମିଶି ପାହାଡ଼କୁ କାଟି କେନାଲ କରିବା ପାଇଁ ଅଣ୍ଟା ଭିଡିଲେ । ସମସ୍ତ ଗ୍ରାମବାସୀ ହାତରେ କୋଦାଳ, ଶାବଳ ଧରି ପାହାଡ କାଟିବା ଆରମ୍ଭ କଲେ । କିଏ ଖୋଳୁଛି ତ ଆଉ କିଏ ତଲଉପର କରି ପଥର ସଜାଉଛି, ତ ଆଉ କିଏ ମାଟି ପକେଇ ନିର୍ମାଣ କରୁଛି ଲେନାଲ । ମୁଣ୍ଡର ଝାଳ ତୁଣ୍ଡରେ ମାରି ପାହାଡ଼କୁ ଚିରି କେନାଲ ଖୋଳି ଧାର ଧାର ପାଣି କ୍ଷେତରେ ପହଞ୍ଚାଇଲେ ଗ୍ରାମବାସୀ । ଏତେ ଲୋକ ପାହାଡ କାଟି କାମ କରିଥିବା ଦୃଶ୍ୟ ଯିଏ କେହି ବି ଦେଖିବ ସରକାରଙ୍କ କୌଣସି ଯୋଜନାର କାର୍ଯ୍ୟ ବୋଲି ଭାବିବ । କିନ୍ତୁ ଇଛାଶକ୍ତି ଆଗରେ ସବୁ କଷ୍ଟ ହାର ମାନିଥିଲା । ଲୋକେ ଏକତ୍ର ହୋଇ କେନାଲ ଖୋଳିବାରେ ସଫଳ ହୋଇଥିଲେ । ବର୍ତ୍ତମାନ ୫୦୦ ମିଟର କେନାଳ ଖୋଳି ୬୦ ଏକର ଜମିରେ ପାଣି ପହଞ୍ଚାଇ ପନିପରିବା ସହ ଧାନ ଫସଲ ଚାଷ ଆରମ୍ଭ କରିଛନ୍ତି । ଆଗକୁ ଆହୁରି ବହୁ ବାଟ ଖୋଲିବା ଯୋଜନା ରହିଥିବା ଗ୍ରାମବାସୀ କହିଛନ୍ତି ଗ୍ରାମର ଦାମ ଗୌଡ଼ ଓ ମାଧବ ଗୌଡ଼ । ପ୍ରକାଶଥାଉକି, କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ୧୦ ବର୍ଷ ତଳେ ଅର୍ଥାତ ୨୦୧୨ ମସିହାରେ ୩୦ ଲକ୍ଷ ଟଙ୍କା ଅଟକଳରେ ନୂଆଗାଁ ଗାଁର ଉପର ମୁଣ୍ଡ ଖଦିଆକାଚ ଘାଟ ବାଲିଗୁଡା ନିକଟର ନିର୍ମାଣ କରାଗଲା ଆଡ଼ିବନ୍ଧ । ଏ ମଧ୍ୟରେ ବିତିଯାଇଛି ଏକ ଦଶନ୍ଧି କିନ୍ତୁ କ୍ଷେତକୁ ପାଣି ଯିବା ନିମନ୍ତେ କେନାଲ ନିର୍ମାଣ କରାଗଲା ନାହିଁ । ଏନି ନୂଆଗାଁ ବାସିନ୍ଦା ଅନେକ ଥର ନେତା, ମନ୍ତ୍ରୀ ଓ ପ୍ରଶାସନ ନିକଟର ଗୁହାରି କରିଥିଲେ କିନ୍ତୁ କେହି ଶୁଣିଲେନି । ଏଣୁ ଗାଁର ଜମି ଥିବା କୃଷକମାନେ ଏକ ବୈଠକ କରି କେନାଲ ଖୋଲିବା ନିଷ୍ପତ୍ତି ନେଇଥିଲେ ଏବଂ ପ୍ରତିଦିନ ପରିବାରର ଜଣେ ଲେଖାଏଁ କେନାଲ ଖୋଳିବା କାମରେ ନିଯୁକ୍ତ ହେଲେ । ଆସନ୍ତା ନିର୍ବାଚନରେ ବର୍ତ୍ତମାନ କ୍ଷମତାରେ ଥିବା ନେତା ମନ୍ତ୍ରୀ ଯଦି ପ୍ରଚାରକୁ ଆସନ୍ତି ତେବେ ଗାଁ ଭିତରକୁ ପୁରାଇ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ବର୍ତ୍ତମାନ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ସ୍ଥଳେ ଆଡ଼ିବନ୍ଧ ନିର୍ମାଣ ହୋଇ କେନାଲ ନିର୍ମାଣ ହୋଇ ପାରିଲାନି । ଯାହାଫଳରେ ଚାଷୀ ଉପଯୁକ୍ତ ସୁବିଧାରୁ ବଂଚିତ ହେଉଥିବା ବେଳେ ବିଭାଗ କହିଛି ସେଠାରେ ଆଉ କଣ କରାଯାଇପାରିବ ତାହା ତଦନ୍ତ କରାଯାଇ ତୁରନ୍ତ କରାଯିବ ।

Leave a Reply