ନୈତିକ ଦାୟିତ୍ୱବୋଧ ନୁହେଁ, ରାଜନୈତିକ ବିବେଚନାଦ୍ୱାରା ଜାତିସଂଘରେ ‘ଭିଟୋ’ ପ୍ରୟୋଗ କରାଯାଉଛି: ଭାରତ

ଜାତିସଂଘ: ଜାତିସଂଘ ସୁରକ୍ଷା ପରିଷଦ୍ରେ ପ୍ରୟୋଗ କରାଯାଉଥିବା ‘ଭିଟୋ’ ନୈତିକ ଦାୟିତ୍ୱବୋଧ ନୁହେଁ, ରାଜନୈତିକ ବିବେଚନାଦ୍ୱାରା ପରିଚାଳିତ ବୋଲି ଗୁରୁତ୍ୱାରୋପ କରି ବୁଧବାର ଦିନ ଭାରତ କହିଛି । ଏହାଛଡ଼ା, କେବଳ ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କୁ ‘ଭିଟୋ’ ପ୍ରୟୋଗ କ୍ଷମତା ମିଳିବା ରାଷ୍ଟ୍ରସମୂହଙ୍କ ସାର୍ବଭୌମ ସମାନତା ଭାବଧାରାର ବିରୋଧାଚରଣ କରୁଥିବା କଥା ମଧ୍ୟ ଭାରତ କହିଛି । ‘ଭିଟୋ ପ୍ରୟୋଗ’ ସଂକ୍ରାନ୍ତରେ ବୁଧବାର ଦିନ ସଂଯୁକ୍ତ ରାଷ୍ଟ୍ର ମହାସଭାର ପୂର୍ଣ୍ଣାଙ୍ଗ ଅଧିବେଶନରେ ଜାତିସଂଘସ୍ଥିତ ଭାରତର ସ୍ଥାୟୀ ମିସନ୍?ର କାଉନସେଲର ପ୍ରତୀକ ମାଥୁର କହିଲେ ଯେ, ଗତ ୭୫ ବର୍ଷ ହେବ ନିଜ ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ୫ଜଣଯାକ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ‘ଭିଟୋ’ ପ୍ରୟୋଗ କରିଛନ୍ତି । ସୂଚନାଯୋଗ୍ୟ, ୧୫ ରାଷ୍ଟ୍ର ସଦସ୍ୟବିଶିଷ୍ଟ ନିରାପତ୍ତା ପରିଷଦ୍ରେ କେବଳ ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କର ‘ଭିଟୋ’ କ୍ଷମତା ଅଛି । ସେମାନେ ହେଲେ, ଆମେରିକା, ରୁଷ୍, ଫ୍ରାନ୍ସ୍, ଇଂଲଣ୍ଡ୍ ଓ ଚୀନ୍ । ବାକି ୧୦ ସଦସ୍ୟ ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ଭାବେ ୨ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି ଓ ସେମାନଙ୍କର ‘ଭିଟୋ’ କ୍ଷମତା ନ ଥାଏ । ତେଣୁ, ମାଥୁର କହିଲେ, ‘ଭିଟୋ’ ନୈତିକ ଦାୟିତ୍ୱବୋଧ ନୁହେଁ, ରାଜନୈତିକ ବିବେଚନାଦ୍ୱାରା ପରିଚାଳିତ । ଯେ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଥିବ, ନୈତିକତା ଚାପ ସତ୍ତ୍ୱେ ‘ଭିଟୋ’ ପ୍ରୟୋଗ କ୍ଷମତା ଥିବା ସଦସ୍ୟ ରାଷ୍ଟ୍ରମାନେ ଏମିତି କରୁଥିବେ । ସେଥିପାଇଁ ନୀତିଗତ ଦୃଷ୍ଟିରୁ ‘ଭିଟୋ’ ଉଚ୍ଛେଦ କରାଯିବା ଉଚିତ । ଯଦି ‘ଭିଟୋ’ ରହିବ ତେବେ ନୂଆ ସ୍ଥାୟୀ ସଦସ୍ୟମାନଙ୍କୁ ତା’ର ପ୍ରୟୋଗ କ୍ଷମତା ଦିଆଯିବା ଉଚିତ ।

Leave a Reply

Your email address will not be published. Required fields are marked *