Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଆ ଜାତିପ୍ରାଣ ଆପନ୍ନା ପରିଚ୍ଛା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଆ ଜାତିପ୍ରାଣ ଆପନ୍ନା ପରିଚ୍ଛା

(୧୬ ଫେବୃଆରୀ ଜନ୍ମବାର୍ଷିକୀ ଉପଲକ୍ଷେ)


ଡକ୍ଟର ବାୟାମନୁ ଚର୍ଚ୍ଚି
ଇଂରେଜ ଶାସନ କାଳରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ଏକ ଶାସନାଧୀନ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ୱାଧୀନତା ସଂଗ୍ରାମ, ରୟତ ଆନେ୍ଦାଳନ, ନାଟ୍ୟ ଆନେ୍ଦାଳନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ, ପ୍ରଚାର ଓ ପ୍ରସାର ତଥା ଗରିବ ମେଧାବୀ ଛାତ୍ରମାନଙ୍କ ଅଧ୍ୟୟନରେ ସହାୟତା ଆଦି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାରଳାଖେମୁଣ୍ଡି ପରିଚ୍ଛାମଠର ମଠାଧୀଶ ଆପନ୍ନା ପରିଚ୍ଛା । ଜନ୍ମ ତା.୧୬.୨.୧୮୭୯ । ପିତା ଲକ୍ଷ୍ମୀ ନାରାୟଣ ପରିଚ୍ଛା ଏବଂ ମାତା ରତ୍ନମଣି ଦେବୀ । ସେ ଆବାଲ୍ୟରୁ ଶାନ୍ତ, ସୌମ୍ୟ ଓ ନମ୍ର । ଆପନ୍ନାଙ୍କ ପୂର୍ବପୁରୁଷ ଥିଲା କାଳିଆ ପଣ୍ଡା । ଆପନ୍ନା ମାଧ୍ୱ ଗୌଡୀୟ ବୈଷ୍ଣବ ଦୀକ୍ଷା ଗ୍ରହଣ କରି ଶୁଦ୍ଧପୂତ ଜୀବନଯାପନ କରୁଥିଲେ । ବୈଷ୍ଣବ ସାହିତ୍ୟ ଅଧ୍ୟୟନ, ଭଜନ, କୀର୍ତ୍ତନରେ ସେ ଅପାର ଆନନ୍ଦ ପାଉଥିଲେ । ସେ ଥିଲେ ଜଣେ ସାଧୁ, ସଂଭ୍ରାନ୍ତ, ଶିକ୍ଷିତ ଓ ମାର୍ଜିତ ସ୍ୱଭାବ ସଂପନ୍ନ ବ୍ୟକ୍ତି । ବ୍ରିଟିଶ ଶାସନ କାଳରେ ସେ ଅବୈତନିକ ବେଞ୍ଚ ମାଜିଷ୍ଟ୍ରେଟ୍ ଭାବେ ୫ ବର୍ଷରୁ ଅଧିକ କାଳ ପାଇଁ ନିଯୁକ୍ତି ପାଇଥିଲେ ।
ଇଂରେଜ ଶାସନକାଳରେ ଅଣଓଡ଼ିଆଙ୍କ ବିଶେଷ ପ୍ରାଦୁର୍ଭାବ ହେତୁ ଖଣ୍ଡ ବିଖଣ୍ଡିତ ଓଡ଼ିଶାର ଓଡ଼ିଆମାନେ ନାନା ନିର୍ଯାତନା ଭୋଗୁଥିଲେ । ଭାଷା ଓ ସଂସ୍କୃତି ବିପନ୍ନ ହୋଇପଡ଼ିଥିଲା । ଅଣଓଡ଼ିଆମାନେ ବିଭିନ୍ନ ସରକାରୀ ପଦପଦବୀରେ ଥିଲେ । ଗଂଜାମ ଥିଲା ମାଡ଼୍ରାସ୍ ପ୍ରେସିଡେନ୍ସିରେ । ଖଲ୍ଲିକୋଟ ରାଜାଙ୍କ ରମ୍ଭା ରାଜପ୍ରାସାଦରେ ରାଜା ହରିହର ମର୍ଦ୍ଦରାଜଙ୍କର ପୁତ୍ର ରାମଚନ୍ଦ୍ରଙ୍କ ଦ୍ୱିତୀୟ ଜନ୍ମବାର୍ଷିକୀ ଉତ୍ସବରେ ଓଡ଼ିଶାର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମୁଖ୍ୟ ଉଦେ୍ଦଶ୍ୟ ଥିଲା ଓଡ଼ିଆମାନଙ୍କ ଦୁଃଖ ଦୁର୍ଦ୍ଦଶା କିପରି ଦୂର ହେବ ଏବଂ ଓଡ଼ିଆ ଭାଷା କିପରି ବଂଚି ରହିବ, ସେ ସଂପର୍କରେ ଆଲୋଚନା । ଏହି ଜାତୀୟ ଯଜ୍ଞରେ ପୁରୋଧା ଥିଲେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଏବଂ ଉଦ୍ଗାତା ଥିଲେ କୁଳବୃଦ୍ଧ ମଧୁସୂଦନ ଦାସ । ଏହି ରମ୍ଭା ପ୍ରାସାଦର ଜାତୀୟ ସଭାରୁ ଗଂଜାମ ସମ୍ମିଳନୀ ଏବଂ ଗଂଜାମ ସମ୍ମିଳନୀରୁ ଜନ୍ମନେଲା ଉକ୍ରଳ ସମ୍ମିଳନୀ ।
ଉକ୍ରଳ ସମ୍ମିଳନୀର ନବମ ଅଧିବେଶନ ପୁରୀଠାରେ ୧୯୧୩ ମସିହା ଡିସେମ୍ବର ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଓଡ଼ିଆ ଜାତିପ୍ରାଣ ଆପନ୍ନା ପରିଚ୍ଛା ଏବଂ ପାରଳାର ଅନ୍ୟତମ ପ୍ରତିନିଧି ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ ଯୋଗଦାନ କରିଥିଲେ । ଉଭୟେ ଉକ୍ରଳ ସମ୍ମିଳନୀର ଦଶମ ଅଧିବେଶନ ପାରଳାଖେମୁଣ୍ଡିରେ କରିବା ପାଇଁ ଆଲୋଚନା କରି ଅଧିବେଶନରେ ଗୋରାଚାନ୍ଦ ବିଧିବଦ୍ଧ ପ୍ରସ୍ତାବ ଦେଲେ । ସମର୍ଥନ କଲେ ଆପନ୍ନା । ପ୍ରସ୍ତାବଟି ସର୍ବସମ୍ମତିକ୍ରମେ ଗୃହୀତ ହେଲା । ଆପନ୍ନା ପରିଚ୍ଛା ପୁରୀରୁ ଫେରିଲା ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ତା. ୭.୪.୧୯୧୪ରେ ସାକ୍ଷାତ୍ କରି ଏହା ଜଣାଇଲେ । ମହାରାଜା ପ୍ରସନ୍ନ ହେଲେ । ପ୍ରକାଶଯୋଗ୍ୟ ଯେ, ୧୯୧୩ ଏପ୍ରିଲ ୨୬ ତାରିଖ ଦିନ ମହାରାଜା କୃଷ୍ଣଚନ୍ଦ୍ର ଗାଦିପ୍ରାପ୍ତ ହୋଇଥିଲେ । ଡିସେମ୍ବର ୨୫ ଓ ୨୬ରେ ଅନୁଷ୍ଠିତ ଉକ୍ରଳ ସମ୍ମିଳନୀର ଦଶମ ଅଧିବେଶନ ପାରଳାଖେମୁଣ୍ଡିରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏକତ୍ରୀକରଣ ବଦଳରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ପ୍ରସ୍ତାବ ଦେଲେ । ମହାରାଜାଙ୍କ ଅତିଶୟ ଆଗ୍ରହ, ଓଡ଼ିଆ ଜାତି ପାଇଁ ଉତ୍ସର୍ଗୀକୃତ ମନୋଭାବ ତଥା ଦୃଢ଼ତା ଲକ୍ଷ୍ୟ କରି କୁଳବୃଦ୍ଧ ମଧୁସୂଦନ ଦାସ ଏହି ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କଲେ । ମହାରାଜା କୃଷ୍ଣଚନ୍ଦ୍ରଙ୍କ ସହ ଏହି ଅଧିବେଶନରେ ସଫଳତା ପାଇଁ ଆପନ୍ନା ପରିଚ୍ଛା ପୂର୍ଣ୍ଣ ସମର୍ପିତ ଥିଲେ । ଆପନ୍ନା ପରିଚ୍ଛା ଗଂଜାମର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହ ସଂପର୍କ ସ୍ଥାପନ କରି ଉକ୍ରଳ ସମ୍ମିଳନୀର ବିଭିନ୍ନ କାର୍ଯ୍ୟରେ ସଂପୃକ୍ତ ହେଲେ ।
ଉକ୍ରଳ ସମ୍ମିଳନୀର ଅଙ୍ଗୀଭୂତ ଅନୁଷ୍ଠାନ ‘ୟଙ୍ଗ୍ ଉକ୍ରଳ ଏସୋସିଏସନ୍’ର ପାରଳା ଶାଖା ଗଠନ, ଉକ୍ରଳ ସମ୍ମିଳନୀର ସକ୍ରିୟ ସଦସ୍ୟ ତଥା ୧୯୧୪ ମେ ମାସ ୨୫ ତାରିଖ ଠାରୁ ‘ଉକ୍ରଳ ହିତୈଷିଣୀ’ର ସଂପାଦକ ଆଦି କାର୍ଯ୍ୟରେ ସଂପୃକ୍ତ ହେଲେ । ‘ଉକ୍ରଳ ହିତୈଷିଣୀ ସମାଜ’ ଓଡ଼ିଆ ଭାଷା, ସଂସ୍କୃତି ତଥା ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଗଂଜାମର ସର୍ବଶ୍ରେଷ୍ଠ ଅନୁଷ୍ଠାନ ଥିଲା ।
ପାରଳାଖେମୁଣ୍ଡି ଅଞ୍ଚଳରୁ ସେ ଥିଲେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ସଦସ୍ୟ । ସେ ୧୯୧୨ ଡିସେମ୍ବର ମାସ କଲିକତା କଂଗ୍ରେସର ମହାଧିବେଶନ, ୧୯୨୩ ଡିସେମ୍ବର କାକିନଡ଼ା କଂଗ୍ରେସ ଅଧିବେଶନରେ ବ୍ୟକ୍ତିଗତ ଖର୍ଚ୍ଚରେ ଯୋଗଦାନ କରିଥିଲେ । ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ସହିତ ତାଙ୍କର ନିବିଡ଼ ସଂପର୍କ ଥିଲା । ଗୋପବନ୍ଧୁ ବହୁବାର ପରିଚ୍ଛାମଠକୁ ଆସିଥିଲେ ।
ଆପନ୍ନା ପରିଚ୍ଛାଙ୍କ ଉଦ୍ୟମରେ ୧୯୨୭ ମସିହା ଡିସେମ୍ବର ୩ ତାରିଖ ଦିନ ଗାନ୍ଧିଜୀ ପାରଳାଖେମୁଣ୍ଡି ଆସିଥିଲେ । ଆପନ୍ନା ପରିଚ୍ଛାଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ସଭାରେ ୧୦ ସହସ୍ର ଲୋକ ଉପସ୍ଥିତ ଥିଲେ ।
ପରିଚ୍ଛା ମଠକୁ ଓଡ଼ିଶାର ସ୍ୱନାମଧନ୍ୟ ଜନନେତା, ସଂଗ୍ରାମୀମାନେ ବହୁବାର ଆସୁଥିଲେ । କୁଳବୃଦ୍ଧ ମଧୁସୂଦନ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ପଣ୍ଡିତ ଗୋପବନ୍ଧୁ ଦାଶ, ପଣ୍ଡିତ ନୀଳକଣ୍ଠ ଦାଶ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର, ଅନନ୍ତ ମିଶ୍ର, ଜଗନ୍ନାଥ ମିଶ୍ର, ଶଶିଭୂଷଣ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ନିରଞ୍ଜନ ପଟ୍ଟନାୟକ ଓ ଶ୍ରୀବତ୍ସ ପଣ୍ଡା ଆଦି ସେମାନଙ୍କ ମଧ୍ୟରେ ଥିଲେ ।
ଆପନ୍ନା ପରିଚ୍ଛା ଥିଲେ ଜଣେ ସାହିତ୍ୟ ସ୍ରଷ୍ଟା । ତାଙ୍କ ସୃଷ୍ଟି ମଧ୍ୟରେ ବିଜୟ ବସନ୍ତ ନାଟକ, ଗୋଷ୍ଠ ମିଳନ ନାଟକ, ନବଲୀଳା ବିଳାସ ନାଟକ ପ୍ରକାଶିତ । ଅପ୍ରକାଶିତ ଐତିହାସିକ ନାଟକ- ଚନ୍ଦ୍ରହାସ, ସନ୍ଧି ଉପସନ୍ଧି, ଚଞ୍ଚଳା କୁମାରୀ, କନୌଜ କୁମାରୀ, ହେମଚନ୍ଦ୍ର, ସ୍ୱର୍ଣ୍ଣଲତା ଏବଂ ପୌରାଣିକ ନାଟକ- ସୀତା ବନବାସ, ବିଲ୍ୱମଙ୍ଗଳ, ମାନଭଂଜନ, ହେମଲତା, ରାଧାକୃଷ୍ଣ ପ୍ରଣୟ ଓ ରଘୁନାଥୋପାଖ୍ୟାନ । ପରିଚ୍ଛା ପରିବାରର ନେତୃତ୍ୱ ତଥା ଅଞ୍ଚଳବାସୀଙ୍କ ସହଯୋଗରେ ପାରଳାଖେମୁଣ୍ଡି ରାଜଗୁରୁ ସାହିର ଦକ୍ଷିଣ ପଶ୍ଚିମ ମୁଣ୍ଡରେ ପ୍ରତିଷ୍ଠିତ ହୋଇଥିଲା ଓଡ଼ିଶାର ପ୍ରଥମ ରଂଗମଞ୍ଚ । ଏହି ରଙ୍ଗମଞ୍ଚରେ ଓଡ଼ିଆ, ସଂସ୍କୃତ ଓ ତେଲୁଗୁ ନାଟକ ମଞ୍ଚସ୍ଥ ହେଉଥିଲା । ‘ବିପଟଲାଲ’ କମ୍ପାନୀର ଅନେକ ନାଟକ ଏଠାରେ ଅଭିନୀତ ହୋଇଛି । ପରବର୍ତ୍ତୀ ସମୟରେ ଏହି ରଙ୍ଗମଞ୍ଚର ନାମ ପରିବର୍ତ୍ତନ ହୋଇ ‘ପଦ୍ମନାଭ ରଙ୍ଗାଳୟ’ ନାମରେ ନାମିତ ହୋଇଛି । ଆପନ୍ନାଙ୍କ ରଚିତ ନାଟକ ଏଠାରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଏଠାରେ ପରିବେଷିତ ହେଉଥିବା ନାଟକ ଏତେ ଲୋକପ୍ରିୟ ଥିଲା ଯେ, ସ୍ୱୟଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମଧ୍ୟ ଉପସ୍ଥିତ ହୋଇ ନାଟକକୁ ଉପଭୋଗ କରୁଥିଲେ । ମଞ୍ଜୁଷା, ସୁରଙ୍ଗୀ, ବୁଢ଼ାରସିଂହ, ଖଲ୍ଲିକୋଟର ରାଜାମାନେ ତଥା ଜାତୀୟ କାର୍ଯ୍ୟରେ ଆସୁଥିବା ବିଶିଷ୍ଟ ବ୍ୟକ୍ତିମାନେ ନାଟକକୁ ଉପଭୋଗ କରୁଥିଲେ । ଆପନ୍ନା ପରିଚ୍ଛାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଏହି ରଙ୍ଗମଞ୍ଚର ନାମ ଥିଲା ‘ବୈଷ୍ଣବାନନ୍ଦ ଦାୟିନୀ ସଭା’ ବା ‘ବୈଷ୍ଣବାନନ୍ଦ ଦାୟିନୀ ସମାଜ’ ବା ‘ରସିକରାଜ ପ୍ରାସାଦୈକ ନାଟକ ସଂଘ’ । ପ୍ରକାଶ କରିବା ପ୍ରାସଙ୍ଗିକ ହେବ ଯେ, ସମାଜ/ ସଭା ଏହି ସମୟରେ ନାଟ୍ୟସଂଘ ଭାବେ ଗ୍ରହଣୀୟ ଥିଲା ।
ଆପନ୍ନା ପରିଚ୍ଛାଙ୍କ ଧର୍ମାଚାରଣ ପ୍ରତି ନିଷ୍ଠା ଓ ଅନୁରାଗ, ସଚ୍ଚୋଟତା, କର୍ମ ଦକ୍ଷତାକୁ ହୃଦୟଙ୍ଗମ କରି ବଡ଼ ରାଧାକାନ୍ତ ମଠର ମହନ୍ତ ରାଧାକୃଷ୍ଣ ଦାସ ଗୋସ୍ୱାମୀ ୧୯୧୫ ଜାନୁଆରୀ ୮ ତାରିଖ ଦିନ ଟେକେଲୀ, ପାରଳାଖେମୁଣ୍ଡି ଓ ବ୍ରହ୍ମପୁରରେ ଥିବା ଆଠଗୋଟି ମଠ ସହ ମନ୍ଦିର, ଭୂସଂପତ୍ତି, ଜଳାଶ୍ରୟ, ଜଙ୍ଗଲ ଆଦିର ମାଲିକାନା ତାଙ୍କୁ ପ୍ରଦାନ କରିଥିଲେ । ଦକ୍ଷିଣ ଓଡ଼ିଶାର ମୁଖ୍ୟ ଶୈବପୀଠ ମୁଖଲିଙ୍ଗମ୍, ଟେକେଲୀ ମଠ, ତରଳା ଗଡ଼ ମଠ, ମହାଦେଇପୁର ମଠ (ଏସବୁ ମଠ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ଅଛି) ଆଦିର ପରିଚାଳନା ପାଇଁ ମଧ୍ୟ ସେ କ୍ଷମତାପତ୍ର ପ୍ରଦାନ କରିଥିଲେ ।
‘ମଠସ୍ଥୁ ଛାତ୍ର ନିଳୟ’ ଭାବଧାରାରେ ଉଦ୍ବୁଦ୍ଧ ହୋଇ ଅଞ୍ଚଳର ସମସ୍ତ ଅନୁଷ୍ଠାନରେ ଥିବା ଗରିବ ମେଧାବୀ ଛାତ୍ରମାନଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରିଥିଲେ । ସ୍କୁଲ ଫି ମଧ୍ୟ ଅନୁଦାନ କରୁଥିଲେ । ୧୯୧୬ ଜୁନ୍ ୧୬ ତାରିଖ ଦିନ ମୁକ୍ତାପୁର ଠାରେ ପ୍ରଥମ ପଲ୍ଲୀ ସମ୍ମିଳନୀ କରି ଶୈକ୍ଷିକ ସଂଗଠନ ପ୍ରତି ଧ୍ୟାନ ଦେଲେ ଆପନ୍ନା ପରିଚ୍ଛା ଏବଂ ନିଜ ଅଞ୍ଚଳରୁ ଛାତ୍ରମାନଙ୍କୁ ଶିକ୍ଷାଲାଭ ନିମନ୍ତେ ସତ୍ୟବାଦୀ ବନ ବିଦ୍ୟାଳୟକୁ ପ୍ରେରଣ କରୁଥିଲେ । ସତ୍ୟବାଦୀ ବନବିଦ୍ୟାଳୟ ପାଇଁ ପାଣ୍ଠି ମଧ୍ୟ ସେ ସଂଗ୍ରହ କରି ପ୍ରଦାନ କରିଛନ୍ତି । ସମଗ୍ର ଗଂଜାମ ଜିଲ୍ଲାରୁ ଅନେକ ଛାତ୍ର ପରିଚ୍ଛା ମଠରେ ରହି, ପାଠ ପଢ଼ି ମଣିଷ ହୋଇଥିଲେ । ଶିକ୍ଷାର ପ୍ରସାର ଓ ଓଡ଼ିଆମାନଙ୍କ ଜ୍ଞାନ ବିବର୍ଦ୍ଧନ ପାଇଁ ‘ଉକ୍ରଳ ଭାଷା ବିବର୍ଦ୍ଧିନୀ ସଭା’ର ମଧ୍ୟ ସେ ନେତୃତ୍ୱ ନେଇଥିଲେ ।
ସେ ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ପୌର ପରିଷଦର ଉନ୍ନତି କାମନା କରି ଦୀର୍ଘକାଳ ଯାଏଁ ସଦସ୍ୟ ଥିଲେ । ବୈଷ୍ଣବ ଧର୍ମୀ ହେଲେ ବି ଜୈନଧର୍ମ ପ୍ରତି ତାଙ୍କର ନିଷ୍ଠା ଓ ଆଗ୍ରହ ଥିଲା । ୧୯୦୭ ଡିସେମ୍ବର ୩୦ ତାରିଖରେ ପରେଶନାଥ ମନ୍ଦିରରେ ଅନୁଷ୍ଠିତ ଏକାଦଶ ଜୈନ ଶ୍ୱେତାମ୍ବର ସମ୍ମିଳନୀରେ ଯୋଗଦାନ କରିଥିଲେ । ଏହି ମହାତ୍ମା, ଅମୃତ ସନ୍ତାନ ୧୯୩୯ ଜୁଲାଇ ୨୪ ତାରିଖରେ ଇହଲୀଳା ସମ୍ବରଣ କଲେ ।
ନିଗମ ନଗର, ୫ମ ଲେନ୍ ସଂପ୍ରସାରଣ
ବ୍ରହ୍ମପୁର (ଗଂଜାମ) ପିନ୍-୭୬୦୦୧୦
୮୮୯୫୧୨୯୮୯୭ (ମୋ)

Leave a Reply