Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାରଗିଲ ଯୁଦ୍ଧ ଓ ମୁଶାରଫଙ୍କ ବ୍ୟକ୍ତିତ୍ୱର ଅନୁଶୀଳନ(୧) - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାରଗିଲ ଯୁଦ୍ଧ ଓ ମୁଶାରଫଙ୍କ ବ୍ୟକ୍ତିତ୍ୱର ଅନୁଶୀଳନ(୧)

ଡ. ସମନ୍ୱୟ ନନ୍ଦ

ପାକିସ୍ତାନର ଏକଛତ୍ରବାଦୀ ଶାସକ ଓ କାରଗିଲରେ ପାକିସ୍ତାନ ପକ୍ଷରୁ ଭାରତ ଉପରେ ଯୁଦ୍ଧ ଲଦି ଦେଇ ଥିବା ପରବେଜ ମୁଶାରଫଙ୍କ ମୃତ୍ୟୁ ଘଟିଛି । ଶାନ୍ତି ପ୍ରତିଷ୍ଠାର ଉଦେ୍ଦଶ୍ୟରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀ ପାକିସ୍ତାନ ଯାତ୍ରା କରିଥିବା ବେଳେ ତାଙ୍କ ପିଠିରେ ଛୁରୀ ମାରି ମୁଶାରଫ କାରଗିଲରେ ଅନୁପ୍ରବେଶ କରାଇଥିଲେ । ଏହା ଫଳରେ ଅନେକ ଭାରତୀୟ ସୈନିକ ବୀର ଗତି ପ୍ରାପ୍ତ ହୋଇଥିଲେ । ତେବେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ମୃତ୍ୟୁ ପରେ ଭାରତର କିଛି ବଡ ନେତା ତାଙ୍କୁ ଶାନ୍ତିର ବାର୍ତାବହ ଭାବେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରିଛନ୍ତି । ବାମପନ୍ଥୀ ନ୍ୟାରେଟିଭକୁ ଆଗକୁ ବଢାଉଥିବା ଏକ ଇଂରାଜୀ ସମ୍ବାଦପତ୍ର ପରବେଜ ମୁଶରଫଙ୍କ ପୁରୁଣା ସାକ୍ଷାତକାର ପ୍ରକାଶିତ କରି ତାଙ୍କର କଳା କାରନାମାକୁ ଧୋଇବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ପରବେଜ ମୁଶାରଫଙ୍କ ବ୍ୟକ୍ତିତ୍ୱ, ତାଙ୍କର କାର୍ଯ୍ୟ ଉପରେ ଦୃଷ୍ଟି ପକାଇବା ଜରୁରୀ ହୋଇ ପଡିଛି । ଏହି ଲେଖାରେ ମୁଶାରଫଙ୍କ ବ୍ୟକ୍ତିତ୍ୱର ଅନାଲୋଚିତ ଦିଗ ବିଶେଷ ଭାବେ ଭାରତ ପ୍ରତି ତାଙ୍କର ଦୃଷ୍ଟିକୋଣ ସମ୍ପର୍କରେ ଆଲୋଚନା କରିବା ।
୧୯୯୯ ମସିହାରେ କାରଗିଲ ଯୁଦ୍ଧ ପରେ ସେନା ମୁଖ୍ୟ ପରବେଜ ମୁଶାରଫ ସୈନ୍ୟ ବିଦ୍ରୋହ କରି ପାକିସ୍ତାନର ଶାସନ କ୍ଷମତା ଉପରେ ଅକ୍ତିଆର କରି ନେଇଥିଲେ । ଏହା ପରେ ସେ ପାକିସ୍ତାନର ରାଷ୍ଟ୍ରପତି ହୋଇଥିଲେ । ୨୦୦୧ ମସିହାରେ ସେ ଭାରତ ଗସ୍ତରେ ଆସିଥିଲେ । ସେ ଭାରତ ପହଂଚିବା ପରେ ଦିଲ୍ଲୀର ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଂଜଳି ଦେବାର କାର୍ଯ୍ୟକ୍ରମ ଥିଲା । ସେ ରାଜଘାଟ ପହଂଚିବା ପରେ ସେ ବିବ୍ରତ ଥିବା ପରି ଜଣା ପଡୁଥିଲେ । ସେଠାରେ ଭିଜିଟର୍ସ ବୁକରେ ଲେଖିଲେ – ‘ମହାତ୍ମା ଗାନ୍ଧୀ ଜୀବନ ସାରା ଶାନ୍ତି ପାଇଁ ଚେଷ୍ଟା କରି ଆସିଥିଲେ ।’ କିଛି ଗ୍ରାଫୋଲୋଜିଷ୍ଟ (ହ୍ୟାଣ୍ଡ ରାଇଟିଂ ବିଶେଷଜ୍ଞ ) ମାନେ ତାଙ୍କର ହାତ ଲେଖାକୁ ଅଧ୍ୟୟନ କରିବା ପରେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଲେଖିବା ବେଳେ ତାଙ୍କର ହାତ ଥରୁ ଥିଲା ଓ ସେ ବ୍ୟସ୍ତ ବିବ୍ରତ ଥିଲେ ।
କାରଗିଲ ଯୁଦ୍ଧ ଆରମ୍ଭ କରିବା ପଛରେ ମାଷ୍ଟର ମାଇଣ୍ଡ ପରବେଜ ମୁଶାରଫ ଥିଲେ । ତେଣୁ ଭାରତବାସୀ ତାଙ୍କ ଉପରେ ଅତ୍ୟନ୍ତ ଅସନ୍ତୁଷ୍ଟ ଥିଲେ । ହେଲେ ପରବେଜ ମୁଶାରଫ ସେତେବେଳେ ସାର୍ବଜନୀନ ଭାବେ ଏହାକୁ ସ୍ୱୀକାର କରୁ ନ ଥିଲେ । ହେଲେ ପରବର୍ତୀ ସମୟରେ ସେ ତାଙ୍କର ଆତ୍ମକଥା ଇନ ଦି ଲାଇନ ଅଫ ଫାୟରରେ ସେ ଏହାକୁ ସ୍ୱୀକାର କରିଥିଲେ ।

ଜେନେରାଲ ପରବେଜ ମୁଶାରଫଙ୍କ ଜନ୍ମ ଉତର ପ୍ରଦେଶର ଏକ ମୁସଲମାନ ପରିବାରରେ ହୋଇଥିଲା । ଦେଶ ବିଭାଜନ ବେଳକୁ ତାଙ୍କର ବାପା ମାଆ ଦିଲ୍ଲୀରେ ରହୁଥିଲେ । ଯେେତେବେଳେ ତାଙ୍କୁ ଚାରି ବର୍ଷ ହୋଇଥିଲା ସେତେବେଳେ ଦେଶ ବିଭାଜନ ହୋଇଥିଲା ଓ ତାଙ୍କ ପରିବାର ସିନ୍ଧର କରାଚୀରେ ଯାଇ ରହିଥିଲା । ପ୍ରଥମରେ କରାଚୀ ଓ ପରେ ପଂଜାବର ଗୁଜରାଁନବାଲାରେ ସେ ବଡ ହୋଇଥିଲେ । ୧୯୬୪ ମସିହାରେ ସେ ପାକିସ୍ତାନୀ ସେନାର ଆର୍ଟିଲାରୀ ବିଭାଗରେ ସେ ଯୋଗ ଦେଇଥିଲେ । ତାଙ୍କର ଚାକିରୀ କ୍ୟାରିୟର ଅପେକ୍ଷାକୃତ ସାଧାରଣ ଭାବେ ଚାଲିଥିଲା । ପରବେଜ ମୁଶରାଫ ଜଣେ କଟ୍ଟର ମୁସଲମାନ ଥିଲେ । ସେତେବେଳେ ଜଣେ ଇସଲାମିଷ୍ଟ ରାଷ୍ଟ୍ରପତି ଜିଆ ଉଲ ହକ୍ଙ୍କ ଦୃଷ୍ଟି ତାଙ୍କ ଉପରେ ପଡିଥିଲା । ସେହିପରି ପାକିସ୍ତାନର ଅନ୍ୟ କଟ୍ଟର ଇସଲାମିଷ୍ଟ ରାଜନେତା ମାନଙ୍କ ସମ୍ପର୍କରେ ସେ ଆସିବା କାରଣରୁ ତାଙ୍କର କ୍ୟାରିୟରର ଗ୍ରାଫ ଉପର ମୁହାଁ ହୋଇଥିଲା ।
ପାକିସ୍ତାନକୁ ସର୍ବାଧିକ କଟ୍ଟର କରିଥିବା ଓ ଭାରତ ଓ ହିନ୍ଦୁ ମାନଙ୍କ ପ୍ରତି ଘୃଣା ଭାବ ଭର୍ତି କରିଥିବା ଜିଆ ଉଲ ହକ୍ ଙ୍କ ପରି ଜେନେରାଲ ପରବେଜ ମୁଶାରଫଙ୍କର ଜମାତ-ଏ- ଇସଲାମୀ ସହ ଅତ୍ୟନ୍ତ ପ୍ରଗାଢ ସମ୍ପର୍କ ଥିଲା । ତକ୍ରାଳୀନ ରାଷ୍ଟ୍ରପତି ଜିଆ ଉଲ ହକ୍ ମୁଶରଫଙ୍କୁ ଏକ ଗୁରୁତ୍ୱପୂର୍ଣ ଦାୟିତ୍ୱ ଦେଇଥିଲେ । ଆଫଗାନିସ୍ତାନରେ ଋଷର ସୈନିକ ମାନଙ୍କ ବିରୁଦ୍ଧରେ ଲଢିବା ପାଇଁ ବିଭିନ୍ନ ମୁସଲମାନ ଦେଶରୁ ଭଡାରେ ଅଣା ଯାଇଥିବା ମୁସଲମାନ ଆତଙ୍କବାଦୀ ମାନଙ୍କୁ ତାଲିମ ଦେବା । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ନିର୍ଦେଶାଳୟର ଦାୟିତ୍ୱ ନେଇ ମୁଶାରଫ ଏହି କାମକୁ କରିଥିଲେ । ତେଣୁ ଆତଙ୍କବାଦୀ ମାନଙ୍କୁ ଇସଲାମ ନାମରେ ତାଲିମ ଦେବା ଓ ରକ୍ତପାତ କରାଇବା ତାଙ୍କର ପ୍ରିୟ ବିଷୟ ଥିଲା । କୁହା ଯାଏ ଯେ ଏହି ଦାୟିତ୍ୱ ସମୟରେ ତାଙ୍କର କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଡେନ ସହ ସମ୍ପର୍କ ହୋଇଥିଲା ।
ବିଭିନ୍ନ ମୁସଲମାନ ଦେଶରୁ ଆସୁଥିବା ଆତଙ୍କବାଦୀ ମାନଙ୍କୁ ତାଲିମ ଦେବାକୁ ଅର୍ଥର ବ୍ୟବସ୍ଥା କରିବାକୁ ସେ ଖୈବର ପଖ୍ତୁନଖବା ରାଜ୍ୟରେ ମାଦକ ପଦାର୍ଥର ଚୋରା କାରବାର କରୁଥିବା ସ୍ମଗଲର ମାନଙ୍କ ଠାରୁ ସେ ସହଯୋଗ ନେଉଥିଲେ ।
୧୯୮୭ ମସିହା ମୁଶାରଫଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ ବର୍ଷ ଥିଲା । ପାକିସ୍ତାନ ଦ୍ୱାରା ସିଆଚିନ କ୍ଷେତ୍ରରୁ ଭାରତୀୟ ସେନାକୁ ପଛକୁ ହଟାଇବା ପାଇଁ ପାକିସ୍ତାନ ଯୋଜନା କରିଥିଲା ଓ ଏଥି ପାଉଁ ଏକ ନୂଆ ସ୍ପେଶାଲ ସର୍ଭିସେସ ଗ୍ରୁପ ଗଠନ କରିଥିଲା । ମୁଶାରଫଙ୍କୁ ଏହାର ବ୍ରିଗେଡ କମାଣ୍ଡର ଦାୟିତ୍ୱ ଦିଆ ଯାଇଥିଲା ।
ପାକ ଅଧିକୃତ ଜାମ୍ମୁ କାଶ୍ମୀରର ଗିଲଗିତରେ ଶିୟା ମାନଙ୍କ ଦମନ କରିବାର ଦାୟିତ୍ୱ ମୁଶାରଫ ନେଇଥିଲେ । ସେତେବେଳେ ଗିଲଗିତର ଲୋକ ମାନଙ୍କ ମଧ୍ୟରେ ଅଧିକାଂଶ ଶିୟାଥିଲେ ହେଲେ ପ୍ରଶାସନ ଉପରେ ସୁନ୍ନି ମାନଙ୍କର ଅଧିକାର ଥିଲା । ଶିୟାମାନଙ୍କ ପ୍ରତି ହେଉଥିବା ଅତ୍ୟଚାର ବିରୁଦ୍ଧରେ ସ୍ଥାନୀୟ ଶିୟାମାନେ ବିଦ୍ରୋହ କରି ଦେଇଥିଲେ । ସେତେବେଳ ମୁଶାରଫ ସୁନ୍ନି ପ୍ରଶାସନ ଜରିଆରେ ସେଠାରେ ଶିୟାମାନଙ୍କ ବିଦ୍ରୋହକୁ ଅତ୍ୟନ୍ତ ବର୍ବରତା ସହ ଦମନ କରିଥିଲେ । ଶିୟାମାନଙ୍କୁ ଦମନ କରିବାକୁ ସେ ଖୈବର ପଖତୁନଖବାର ପଠାନ ମାନଙ୍କୁ ଆଣି ଏହି କାମରେ ଲଗାଇଥିଲେ । ସେମାନେ ଗିଲଗିତର ସ୍ଥାନୀୟ ଶିୟାମାନଙ୍କ ଉପରେ ପ୍ରବଳ ଅତ୍ୟାଚାର କରିଥିଲେ । ଏଥିରେ ଶହ ଶହ ସଂଖ୍ୟାରେ ଶିୟାମାନଙ୍କୁ ହତ୍ୟା କରା ଗଲା । ମୁଶାରଫଙ୍କ ଦଳ ସେତେବେଳେ କାରାକୋରମ ହାଇବେ ରେ ଯାଇ ଗିଲଗିତ ଜିଲ୍ଲା ଉପରେ ଆକ୍ରମଣ କରିଥିଲେ ଓ ଘର ଗୁଡିକୁ ଧ୍ୱଂସ କରିବା ସହ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ମାନଙ୍କୁ ହତ୍ୟା କରଥିଲେ ବୋଲି ସେତେବେଳେ ପାକିସ୍ତାନୀ ସମ୍ବାଦପତ୍ର୍ର ଡନ ଓ ହେରାଲ୍ଡ ଭଳି ପାକିସ୍ତାନୀ ସମ୍ବାଦପତ୍ର ମାନେ ରିପୋର୍ଟ ପ୍ରକାଶିତ କରିଥିଲେ । ଏହା ପରେ ଗିଲଗିତ ଓ ବାଲତିସ୍ତାନରେ ପଂଜାବୀ ଓ ପଠାନ ମାନଙ୍କୁ ସେଠାରେ ସ୍ଥାୟୀ ଭାବେ ବସବାସ କରାଇଥିଲେ ଯଦ୍ୱାରା ଏହି ଅଂଚଳରେ ଶିୟା ମାନେ ସଂଖ୍ୟା ଲଘୁ ହୋଇ ଯିବେ ।

ପରବେଜ ମୁଶାରଫ ରାଷ୍ଟ୍ରପତି ପଦରୁ ହଟିବା ପରେ ଏକ ଟେଲିଭିଜନ ସାକ୍ଷାତକାରରେ ତାଙ୍କର ବାସ୍ତବିକ ଚରିତ୍ର କଣ ଥିଲା ତାକୁ ନିଜେ ସ୍ୱୀକାର କରିଥିଲେ । ସେ ଏହି ଟେଲିଭିଜନ ସାକ୍ଷାତକାରରେ କହିଥିଲେ ଯେ ‘ଆମେ ସାରା ଦୁନିଆରୁ ମୁଜାହିଦ ମାନଙ୍କୁ ତାଲିମ ଦେଇଛୁ । ତାଲିବାନକୁ ଆମେ ଟ୍ରେନିଂ ଦେଇଛୁ, ସେମାନଙ୍କୁ ଅସ୍ତ୍ର ଶସ୍ତ୍ର ଦେଇଛୁ । ତାଲିବାନ, ହକାନୀ, ଅଲ ଜବାହିରୀ ଓ ଓସାମା ବିନ ଲାଡେନ ହେଉଛନ୍ତି ଆମର ହିରୋ । ’ମୁଶାରଫ ଜୀବନର ଶେଷ ସମୟରେ ସେ କରିଥିବା କାମ ଓ ଓସାମା ବିନ ଲାଡେନ କିପରି ହିରୋ ଥିଲା ତାହା ସେ ସ୍ୱୀକାର କରିଥିଲେ ।
ଆଜି ଯେତେବେଳେ ଟିଟିପି ବା ତେହେରିକ-ଏ- ତାଲିବାନ ପାକିସ୍ତାନ ତାଙ୍କ ଦେଶରେ ପ୍ରତିଦିନ ଆତଙ୍କବାଦୀ ଆକ୍ରମଣ କରୁଛି ସେତେବେଳେ ଏହାର ଶ୍ରେୟ ମଧ୍ୟ ପରବେଜ ମୁଶରଫଙ୍କୁ ଦିଆ ଯିବା ଜରୁରୀ । କାରଣ ତାଲିବାନକୁ ତାଲିମ ସେ ଦେଇଥିଲେ ବୋଲି ସହର୍ଷ ଦାବି କରିଥିଲେ ।

କେବଳ ସେତିକି ନୁହେଁ ପାକିସ୍ତାନର ବଲୋଚିସ୍ତାନର ଲୋକ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ପଛରେ ପରବେଜ ମୁଶାରଫଙ୍କ ବଡ ହାତ ରହିଥିଲା । ବଲୋଚିସ୍ତାନର ପ୍ରମୁଖ ରାଷ୍ଟ୍ରବାଦୀ ତଥା ୮୦ ବର୍ଷୀୟ ନେତା ଆକବର ବୁଗତିଙ୍କୁ ସେ ଦୌଡାଇ ଦୌଡାଇ ହତ୍ୟା କରିବାକୁ ପାକିସ୍ତାନୀ ସେନାକୁ ନିର୍ଦେଶ ଦେଇଥିଲେ । ଏହା ପରେ ପାକିସ୍ତାନୀ ସେନା ଏହି ବୟସ୍କ ବଲୋଚୀ ନେତାଙ୍କୁ ଅତ୍ୟନ୍ତ ବର୍ବରତାର ସହ ହତ୍ୟା କରିଥିଲା । ଜଣେ ଅସ୍ତ୍ର ଶସ୍ତ୍ର ବିହୀନ ବୟସ୍କ ବ୍ୟକ୍ତି ବୁଗତିଙ୍କୁ ସେ ଭୀରୁ ଭଳି ସେନା ଲଗାଇ ହତ୍ୟା କରିଥିଲେ ।
ଏଥରର ଲେଖାରେ ଏତିକି । କାରଗିଲରେ ଅନୁପ୍ରବେଶ ଓ ଏଥିରେ ମୁଶାରଫଙ୍କର କଣ ଭୂମିକା ରହିଥିଲା ସେ ନେଇ ଆରଥରକୁ ଆଲୋଚନା କରିବା ।

Leave a Reply