କେନ୍ଦ୍ରାପଡ଼ା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଶିକ୍ଷା, ସୁରକ୍ଷା ଓ ରୋଜଗାର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର


କେନ୍ଦ୍ରାପଡ଼ା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଜିଲ୍ଲାରେ ଶିକ୍ଷା, ସୁରକ୍ଷା ଓ ରୋଜଗାର ନେଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ୧୪ଦଫା ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳ ରାଜେନ୍ଦ୍ର ଆଚାର୍ଯ୍ୟଙ୍କୁ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ତିନିମୁହାଣିସ୍ଥିତ ରାମମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରା ସହର ମଧ୍ୟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ଚିନ୍ମୟ କୁମାର ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସହ ସମ୍ପାଦକ ଅଭିରାମ ଲେଙ୍କା, ନଗର ସମ୍ପାଦକ ସତ୍ୟପ୍ରଜ୍ଞ ନାୟକ, ଲକ୍ଷ୍ମୀପ୍ରିୟା ରାଉତ, ରୁଦ୍ରମାଧବ ରଥ, ସରୋଜିନୀ ପରିଡା, ସ୍ୱର୍ଣ୍ଣଲତା ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସଭା ପରେ ଡେପୁଟୀ କଲେକ୍ଟର ରାଜେନ୍ଦ୍ର ଆଚାର୍ଯ୍ୟଙ୍କୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଏହି ଜିଲ୍ଲାକୁ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଣତି କରୁଥିବା ବେଳେ ଏଠିକାର ଶିକ୍ଷା ବ୍ୟବସ୍ଥାରେ ଅଗଣିତ ସମସ୍ୟା ରହିଛି । ସରକାର ଡିଜିଟାଲ ଭାରତ ନାରା ଦେଉଥିବା ବେଳେ ଜିଲ୍ଲାର କଲେଜ ଗୁଡିକ ଡିଜିଟାଲକରଣଠାରୁ ବହୁ ଦୂରରେ ରହିଛି । କଲେଜ ଗୁଡିକରେ ପ୍ରତିବର୍ଷ ଆଡମିସନ ଫିସ ବଢିବା ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ବାଧା ସୃଷ୍ଟି କରୁଛି । ଜିଲ୍ଲାରେ ଯୁବ ବର୍ଗଙ୍କ ନିମନ୍ତେ ଏକ ଉନ୍ନତମାନର କ୍ରୀଡ଼ା ଉପକରଣ ତଥା ସ୍ପୋର୍ଟସ କମ୍ପ୍ଲେକ୍ସ ବ୍ୟବସ୍ଥା ନଥିବାରୁ ରାଜ୍ୟସ୍ତରୀୟ ଓ ରାଷ୍ଟ୍ରୀୟସ୍ତରୀୟ ଖେଳରେ କେନ୍ଦ୍ରାପଡା ଯୁବବର୍ଗ ପଛରେ ପଡିଯାଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପ୍ରକୃତିର ଗନ୍ତାଘର ଭାବେ ସାରା ବିଶ୍ୱରେ ନିଜର ଏକ ପରିଚୟ ସୃଷ୍ଟି କରିଥିବା ବେଳେ ଏଠାକାର ଜଙ୍ଗଲରେ ପଶୁପକ୍ଷୀଙ୍କ ସୁରକ୍ଷା ଏକ ଚିନ୍ତାର ବିଷୟ ପାଲଟିଛି । ଭିତରକନିକା ଭଳି ଜାତୀୟ ଉଦ୍ୟାନରେ ମଧ୍ୟ ପଶୁପକ୍ଷୀମାନଙ୍କ ସୁରକ୍ଷା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ଲମ୍ବିଂ ସହର ଭାବେ ପରିଚିତ ଆମ କେନ୍ଦ୍ରାପଡା ଜିଲ୍ଲାର ଯୁବବର୍ଗଙ୍କ ରୋଜଗାର ପାଇଁ ସେଭଳି କୌଣସି ଶିଳ୍ପାନୁଷ୍ଠାନ ଏକ ସ୍ୱପ୍ନ ସଦୃଶ ହୋଇଛି । ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବା ଓ ଜିଲ୍ଲାରେ ସେମାନଙ୍କ ପାର୍ଦୁର୍ଭାବ ବଢିବା ଜିଲ୍ଲାର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ସ୍ୱେଦେଶୀ ଭାରତ ସ୍ୱାବଲମ୍ବୀ ଭାରତ ପାଇଁ କେନ୍ଦ୍ର ସରକାର ନାରା ଦେଉଥିବା ବେଳେ ଜିଲ୍ଲାର ମହାବିଦ୍ୟାଳୟମାନଙ୍କରେ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ, ଜିଲ୍ଲାର ସମସ୍ତ କଲେଜରେ ଖାଲି ପଡିଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀ ପୁରଣ କରାଯିବା, କଲେଜ ପରିଚାଳନା ସମିତିରେ ରାଜନୈତିକ ବ୍ୟକ୍ତିଙ୍କୁ ସ୍ଥାନ ଦିଆନଯିବା, ସମସ୍ତ କଲେଜରେ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା ସହ ଡିଜିଟାଲ ଶ୍ରେଣୀଗୃହ, ଇ-ପାଠାଗାର, ଅତ୍ୟାଧୁନିକ ସଭାଗୃହ ବ୍ୟବସ୍ଥା କରାଯିବା, କଲେଜ ଗୁଡିକରେ ନିଶାମୁକ୍ତ କ୍ୟାମ୍ପସ ଗଠନ କରିବା, ଜିଲ୍ଲାରେ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ସ୍ଥାପନା କରାଯିବା, ଅନୁପ୍ରବେଶକାରୀଙ୍କ ପ୍ରବେଶ ଉପରେ ରୋକ ଲଗାଯିବା, ଜିଲ୍ଲାରେ ରୋଜଗାର ସୃଷ୍ଟି ପାଇଁ ବିଭିନ୍ନ ପ୍ରକାର ଶିଳ୍ପାନୁଷ୍ଠାନ ସ୍ଥାପନା କରାଯିବା, ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡିକର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା, ଭିତରକନିକା, ପେଣ୍ଠ ଜଙ୍ଗଲ, ଖରିନାସୀ ପ୍ରଭୃତି ଜଙ୍ଗଲରେ ପଶୁପକ୍ଷୀଙ୍କ ଶୀକାର ବନ୍ଦ କରାଯିବା, ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସମସ୍ତ କଲେଜରେ ଦକ୍ଷତା ବିକାଶ, ହସ୍ତତନ୍ତ୍ର ଶିକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବାକୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *