ହିନ୍ଦୁଙ୍କୁ ଧର୍ମାନ୍ତରୀକରଣ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକାରି ଚାଙ୍ଗୁରବାବା ଗିରଫ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍)  ବେଆଇନ ଧର୍ମାନ୍ତରଣର ଏକ ବିଶାଳ ନେଟୱର୍କର ପର୍ଦ୍ଦାଫାସ କରିବା ସହ ଏଥିରେ ଜଡ଼ିତ ମୁଖ୍ୟ ସଂଚାଳକମାନଙ୍କୁ ଗିରଫ କରିଛି। ଏହି ମାମଲା ସହିତ ବଡ଼ ଧରଣର ମନି ଲଣ୍ଡରିଂ ମାମଲା ମଧ୍ୟ ସାମ୍ନାକୁ ଆସିଥିବାରୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)  ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧର୍ମାନ୍ତରଣ ରୢାକେଟ୍‌ର ମୁଖ୍ୟ  କରିମୁଲ୍ଲା ଶାହା ଓରଫ୍‌ ଛଙ୍ଗୁର ବାବା  ବିରୋଧରେ ମାମଲା ରୁଜୁ କରିଛି। ବିଶେଷ କରି ଅନୁସୂଚିତ ଜାତି ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ଟାର୍ଗେଟ କରି ଧର୍ମପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ପାଇଁ ଛଙ୍ଗୁର ବାବା ବିଦେଶୀ ପାଣ୍ଠି ଓ ବ୍ୟାପକ ଜାଲିଆତି ଉପାୟ ଅବଲମ୍ବନ କରୁଥିଲା। ଏହି ପ୍ରକ୍ରିୟାରେ ଛଙ୍ଗୁର ବାବା କିଛି ବର୍ଷ ମଧ୍ୟରେ ବିଦେଶରୁ ୧୦୦ କୋଟିରୁ ଅଧିକ ଟଙ୍କା ହାସଲ କରିଥିବା ଜଣାପଡ଼ିଛି। ୟୁପି ଏଟିଏସ୍‌ର ବିସ୍ତୃତ ଅଭିଯୋଗ ପରେ ଇଡି ଜୁଲାଇ ୯ରେ ପ୍ରଥମ ମାମଲା ରୁଜୁ କରିଥିଲା। ଚାନ୍ଦ ଓଲିଆ ଦରଘା ପରିସରରୁ ଏହି ଧର୍ମାନ୍ତରଣ ରୢାକେଟ୍ ସହ ଜଡିତ ମନି ଲଣ୍ଡରିଂ ଅପରାଧର  ଖୋଳତାଡ଼ ଜାରି ରହିଛି । 

ଏଟିଏସ୍‌ ତଦନ୍ତରୁ ଜଣାପଡ଼ିଛି ଯେ ଛଙ୍ଗୁର ବାବା ଧାର୍ମିକ ପ୍ରବଚନ, ମାନସିକ ହସ୍ତକ୍ଷେପ ଏବଂ ସିଜରା-ଏ-ତୈୟବ ନାମକ ଏକ ପୁସ୍ତକ ପ୍ରକାଶନ କରି ଲୋକଙ୍କୁ ପ୍ରଭାବିତ କରିବା ସହ  ଇସଲାମକୁ ପ୍ରୋତ୍ସାହିତ କରିବା ପାଇଁ ଆପରାଧିକ ଉପାୟ ଅବଲମ୍ବନ କରୁଥିଲା। ବିଶେଷକରି ହିନ୍ଦୁ ମହିଳା ଏବଂ ଅବହେଳିତ ସମ୍ପ୍ରଦାୟର ଲୋକଙ୍କୁ ସେ ଟାର୍ଗେଟ୍‌ କରୁଥିଲା।  ଇଡି ଜାଣିବାକୁ ପାଇଥିଲା ଯେ ଛଙ୍ଗୁର ବାବା ଭାରତୀୟ ତଥା ବିଦେଶୀ ନାଗରିକମାନଙ୍କୁ ନେଇ ଏକ ବ୍ୟାପକ ନେଟ୍‌ୱର୍କ ଚଳାଇବା ସହ  ଦରଘାରେ ବିଶାଳ ସମାବେଶ ଆୟୋଜନ ପାଇଁ ବିଦେଶୀ ପାଣ୍ଠି ବ୍ୟବହାର କରିଛି। ଜୁଲାଇ ୫ରେ ଏଟିଏସ୍ ଛଙ୍ଗୁର ବାବା ଏବଂ ତାଙ୍କ ସହଯୋଗୀ ନୀତୁ ଓରଫ ନସରୀନଙ୍କୁ ଲକ୍ଷ୍ନୌର ଏକ ହୋଟେଲରୁ ଗିରଫ କରିଥିଲା। ଦୁହେଁ ଏବେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ହାଜତରେ ଅଛନ୍ତି।

ଅଧିକାରୀଙ୍କ କହିବାନୁସାରେ, ଛଙ୍ଗୁର ବାବାର ୪୦ଟି ବ୍ୟାଙ୍କ ଆକାଉଣ୍ଟରେ ୧୦୬ କୋଟି ଟଙ୍କା ଅଛି।  ଅଧିକାଂଶ ପାଣ୍ଠି ଉପସାଗରୀୟ ଦେଶଗୁଡ଼ିକରୁ ଆସିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଛଙ୍ଗୁର ବାବା ୧୫୦୦ରୁ ଅଧିକ ହିନ୍ଦୁ ମହିଳା ଓ ହଜାର ହଜାର ଅଣମୁସଲମାନଙ୍କୁ ଜୋରଜବରଦସ୍ତି ଓ ପ୍ରଲୋଭନ ଦେଖାଇ ଇସଲାମ ଧର୍ମଗ୍ରହଣ କରାଇଥିବା ଅଭିଯୋଗ ହୋଇଛି।  ଗରିବ ଓ  ବିଧବାମାନଙ୍କୁ ସେ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଟାର୍ଗେଟ୍‌ କରୁଥିବା ତଦନ୍ତରୁ ଜଣାପଡ଼ିଛି।  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛଙ୍ଗୁର ବାବାର କାର୍ଯ୍ୟକଳାପକୁ କେବଳ ଅସାମାଜିକ ନୁହେଁ ବରଂ ଦେଶବିରୋଧୀ ବୋଲି ବର୍ଣ୍ଣନା କରିଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ବୁଲ୍‌ଡୋଜର ବ୍ୟବହାର କରି ତା’ର ବଳରାମପୁର ବାସଭବନକୁ ଭାଙ୍ଗି ଦେଇଛନ୍ତି।

Leave a Reply