ତାଳବଣିଆରେ ଥିବା ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଜମିର ସୁରକ୍ଷା ସଂକ୍ରାନ୍ତରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଧାର୍ଯ୍ୟ ଅର୍ଥ ପୈଠ ପରେ ଆବେଦନକାରୀଙ୍କ ନାଁରେ ସଂପୃକ୍ତ ଜମିର ବିକ୍ରି କବଲା କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୨୦୧୬ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଇତିମଧ୍ୟରେ ସଂପୃକ୍ତ ଜମି ଉପରେ ପୁରୀ ଆସୁଥିବା ତୀର୍ଥଯାତ୍ରୀଙ୍କୁ ରହାତି ଦରରେ ରହିବା ସୁବିଧା ପ୍ରଦାନ ପାଇଁ ଅତିଥି ଭବନ ନିର୍ମାଣ ଲାଗି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇସାରିଛି। ଏଭଳି ଘଟଣାକୁ ବିଚାରକୁ ନେଇ ୨୦୧୬ର ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଲାଲା ନଳିନୀ କୁମାର ରାୟଙ୍କଉତ୍ତରାଧିକାରୀମାନେ ଦାୟର କରିଥିବା ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଶ୍ରୀଜଗନ୍ନାଥଙ୍କ ସଂପତ୍ତିକୁ ଦଖଲରେ ରଖିବା ବା କ୍ରୟ କରିବାକୁ କୌଣସି ବ୍ୟକ୍ତିବିଶେଷକୁ ଅଧିକାର ଦିଆଯାଇ ନାହିଁ। ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ୨୦୧୭ ଜୁଲାଇ ୧୩ରେ ଜମି ଉପରେ ଅତିଥି ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲା। ଶ୍ରଦ୍ଧାଳୁଙ୍କ ପାଇଁ ଅତିଥି ଭବନ ନିର୍ମାଣ ଶ୍ରୀଜଗନ୍ନାଥଙ୍କ ସ୍ବାର୍ଥରେ ହେଉଛି। ଏହି ଜମିର ବିକ୍ରି କବଲା କାର୍ଯ୍ୟକାରୀ ଓ ହସ୍ତାନ୍ତର ପ୍ରସଙ୍ଗ ନେଇ ଦାୟର ଏହି ଅନ୍ତରୀଣ ଆବେଦନ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଲାଲା ନଳିନୀ କୁମାର ରାୟଙ୍କ ଉତ୍ତରାଧିକାରୀ ସ୍ବର୍ଣ୍ଣଲତା ମହାନ୍ତି ଓ ଦେବଦତ୍ତ ରାୟଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ତାଳବଣିଆ ମୌଜାରେ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ୧୨୦ ଡିସିମିଲ ଜମି ପ୍ରସଙ୍ଗକୁ ନେଇ ଲାଲା ନଳିନୀ କୁମାର ରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।