Chinese CCTV Ban in India: ଦେଶରେ ଆଜିଠୁ (ଅପ୍ରେଲ ୧) ବ୍ୟାନ୍ ହୋଇଯାଇଛି ଚୀନୀ ସିସିଟିଭି। ଏଣିକି ଚୀନୀ ବ୍ରାଣ୍ଡ ଦ୍ୱାରା ନିର୍ମିତ ଏବଂ ଇଣ୍ଟରନେଟ୍ ସହ ସଂଯୁକ୍ତ ସିସିଟିଭି କ୍ୟାମେରା “ହିକ୍ ଭିଜନ୍” (Hikvision), “ଦହୁଆ” (Dahua), “ଟିପି ଲିଙ୍କ” (TP-Link) ବ୍ୟବହାର କରିବା ଉପରେ ନିଷେଧାଦେଶ ଜାରି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ କୌଣସି ଉତ୍ପାଦର ମାନକୀକରଣ ପରୀକ୍ଷା ଏବଂ ଗୁଣବତ୍ତା ପ୍ରମାଣପତ୍ର (Standardization Testing & Quality Certification-STQC) ନିୟମାବଳୀ ଆଧାରରେ ନିଆଯାଇଛି। ଦେଶରେ ଏବେ ଠାରୁ ସିସିଟିଭି କ୍ୟାମେରା ଏବଂ ଭିଡିଓ ନିରୀକ୍ଷଣ ଉପକରଣ ବିକ୍ରୟ ପାଇଁ ସରକାରଙ୍କ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି।
ଚୀନ୍ କମ୍ପାନୀ ଉପରେ ରହିଛି ସତର୍କ ନଜର
ଏନେଇ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସରକାର କନେକ୍ଟେଡ୍ ଡିଭାଇସ (Connected Device) ପାଇଁ ସୁରକ୍ଷା ମାନଦଣ୍ଡକୁ ମଜବୁତ କରୁଛନ୍ତି। ଏହି ପଦକ୍ଷେପର ଅଂଶ ସ୍ୱରୂପ, ଚୀନ୍ କମ୍ପାନୀ ଦ୍ୱାରା ଉତ୍ପାଦିତ ସିସିଟିଭି ଉତ୍ପାଦ ଏବଂ ଚୀନୀ ଚିପସେଟ୍ ଥିବା ଉପକରଣ ପାଇଁ STQC ପ୍ରମାଣପତ୍ର ପ୍ରଦାନ କରିବାରୁ ବଞ୍ଚିତ କରାଯାଇଛି। STQC ଅନୁମତି ପାଇନଥିବା କୌଣସି ଉତ୍ପାଦ ଭାରତୀୟ ବଜାରରେ ବିକ୍ରୟ ହୋଇପାରିବ ନାହିଁ।
ଏହି ନିଷ୍ପତ୍ତି ବିଭିନ୍ନ ଚୀନୀ ଉତ୍ପାଦ ବ୍ରାଣ୍ଡ ପାଇଁ ଏକ ଜୋରଦାର ଝଟକା ବୋଲି ଆଲୋଚନା ହେଉଛି। ଗତ ବର୍ଷ ପର୍ଯ୍ୟନ୍ତ ଏହି କମ୍ପାନୀ ଭାରତରେ ସିସିଟିଭି ବଜାରର ପ୍ରାୟ ଏକ ତୃତୀୟାଂଶ ଭାଗ ଅଧିକାର କରିଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ ଆସିବା ସହ ସ୍ୱଦେଶୀ କମ୍ପାନୀ ଦେଶର ବଜାରରେ ସେମାନଙ୍କ ଉପସ୍ଥିତିକୁ ମଜବୁତ କରିଛନ୍ତି।
ବଢୁଛି ଭାରତୀୟ ଉତ୍ପାଦର ଦବଦବା
“ସିପି ପ୍ଲସ୍” (CP Plus), “କ୍ୟୁବୋ” (Qubo),”ପ୍ରମା” (Prama), “ମାଟ୍ରିକ୍ସ” (Matrix), “ସ୍ପାର୍ଶ” (Sparsh) ଭଳି ଭାରତୀୟ ବ୍ରାଣ୍ଡ୍ ଆକ୍ରମଣାତ୍ମକ ଭାବରେ ନିଜର ବିସ୍ତାର କରିଛନ୍ତି। ଏହି କମ୍ପାନୀ ସେମାନଙ୍କର ଯୋଗାଣ ଶୃଙ୍ଖଳାକୁ ପରିବର୍ତ୍ତନ କରିଛନ୍ତି। ଚୀନ୍ ନିର୍ମିତ ଉପକରଣକୁ ତାଇୱାନ୍ ଭିତ୍ତିକ ଚିପସେଟ୍ ସହିତ ବଦଳାଇଛନ୍ତି ଏବଂ ସ୍ଥାନୀୟ ଭାବରେ ସଫ୍ଟୱେର୍ ବିକଶିତ କରିଛନ୍ତି।
କାଉଣ୍ଟର ପଏଣ୍ଟ ରିସର୍ଚ୍ଚ (Counter Point Research) ଅନୁଯାୟୀ, ଭାରତୀୟ କମ୍ପାନୀ ଫେବୃଆରୀ ସୁଦ୍ଧା ଦେଶର ବଜାରରେ ୮୦ ପ୍ରତିଶତ ସ୍ଥାନ ଦଖଲ କରି ସାରିଛନ୍ତି। ଯେତେବେଳେ ବୋଶ୍ (Bosch) ଏବଂ ହନିୱେଲ୍ (Honeywell) ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ପ୍ରିମିୟମ୍ ସେଗମେଣ୍ଟ (Premium Segment) ବିଭାଗରେ ପ୍ରଭାବଶାଳୀ ରହିଛନ୍ତି।
ଭାରତୀୟ କମ୍ପାନୀ ହିରୋ ଗ୍ରୁପ୍ (Hero Group) ଦ୍ୱାରା ପରିଚାଳିତ “କ୍ୟୁବୋ”, କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ସ୍ୱାଗତ କରିଛି। “କ୍ୟୁବୋ” ପ୍ରତିଷ୍ଠାତା ନିଖିଲ ରାଜପାଲ କହିଛନ୍ତି ଯେ ଏହି ନିଷ୍ପତ୍ତି ଜାତୀୟ ଏବଂ ବ୍ୟକ୍ତିଗତ ସୁରକ୍ଷାକୁ ସୁଦୃଢ଼ କରିବା ସହ ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବ।
ସୁରକ୍ଷାଗତ କାରଣରୁ ଚୀନ୍ କମ୍ପାନୀ ଉପରେ ଜାରି ହୋଇଛି ନିଷେଧାଦେଶ
ବିଗତ ବର୍ଷରେ ସରକାର ପ୍ରମୁଖ କ୍ଷେତ୍ରରେ ଚୀନ୍ ଦ୍ୱାରା ବିକଶିତ ଜ୍ଞାନକୌଶଳର (Chinese Technology) ବ୍ୟବହାର ହ୍ରାସ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଯେଉଁଥିରେ ଟିକ୍ ଟକ୍ (TikTok) ପରି ଚୀନୀ ଆପ୍ ଉପରେ ନିଷେଧାଦେଶ ଜାରି କରାଯିବା ସହ ହୁଆୱେଇ (Huawei) ଏବଂ ଜେଟିଇ (ZTE) ଭଳି କମ୍ପାନୀ ଦ୍ୱାରା ନିର୍ମିତ ଟେଲିଫୋନ୍ ଉପକରଣକୁ ପ୍ରତିବନ୍ଧିତ କରିଯାଇଛି। ସୁରକ୍ଷା ଏଜେନ୍ସି ଗୁପ୍ତ ଭାବରେ ପଛ ପଚରେ ହେଉଥିବା ପ୍ରବେଶ (Secret Backdoor Access), ବିଦେଶୀ ସର୍ଭରକୁ ତଥ୍ୟ ପଠାଯିବା ଏବଂ ପ୍ରତିରକ୍ଷା ସହ ସରକାରୀ କାର୍ଯ୍ୟାଳୟ ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଏପରି କ୍ୟାମେରା ବ୍ୟବହାର ଦେଶର ସୁରକ୍ଷା ପାଇଂ ଚିନ୍ତାଜନକ ପାଲଟିଛି।