ଭୁବନେଶ୍ୱର, ୨୫ ।୧୨: ବେଆଇନ ବାଲି, ମାଙ୍କଡ଼ା ପଥର, ମୋରମ ଭଳି ଲଘୁ ଖଣିଜ ପଦାର୍ଥ ଓ ଗୋରୁ ଚାଲାଣରେ ସକ୍ରିୟ ଏକ ୫ ଜଣିଆ ଅପରାଧୀ ଦଳକୁ କମିସନରେଟ ପୁଲିସ ଧରିଛି। କମିସନରେଟ ପୁଲିସ ପକ୍ଷରୁ ନାକାବନ୍ଦୀ ଓ ଚେକିଂ ବ୍ଲକିଂ ସମୟରେ ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଥାନା ପୁଲିସ କଟକ- ଖୋର୍ଦ୍ଧା ରାସ୍ତାର ମହାବୀର ମହାବିଦ୍ୟାଳୟ ନିକଟରେ ଏହି ୫ ଅପରାଧୀ ଯାଉଥିବା ଏକ କାର୍ ଜବତ କରିଥିଲା । ପୁଲିସ ସେମାନଙ୍କ ନିକଟରୁ ପାଞ୍ଚଟି ବନ୍ଧୁକ, ୧୫ଟି ଅଫୁଟା ଗୁଳି, ୭ଟି ମୋବାଇଲ ଫୋନ ଓ ନଗଦ ୮୪ହଜାର ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ କଟକ ସଦର ଥାନା ଅଞ୍ଚଳର କୁଞ୍ଜପାଟଣାର ଭବାନୀ ପ୍ରସାଦ ମହାନ୍ତି, ଖୋର୍ଦ୍ଧା ଜିଲା ତୋଟାପଡ଼ା ମସଜିଦ୍ ସାହିର ସେକ୍.ରହେମତ ଅଲ୍ଲୀ ଓରଫ ଅନିଲ, ଜଟଣୀ ତରବୋଇର ମହମ୍ମଦ ଜାକିର, କଟକ ବାଦାମବାଡ଼ି ଖାନନଗର ଅଞ୍ଚଳର ଦୀପକ କୁମାର ସାହୁ ଓ ଖୋର୍ଦ୍ଧା ନିଉ ବସଷ୍ଟାଣ୍ଡର ଚନ୍ଦନ ଓରଫ ସଂଗ୍ରାମ ପ୍ରଧାନ।
ଏମାନେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲାରେ ଆପରାଧୂକ କାର୍ଯ୍ୟକଳାପରେ ସାମିଲ ଥିଲେ। ଏହି ପାଞ୍ଚଜଣଙ୍କ ନାଁରେ ଖୋର୍ଦ୍ଧା ଟାଉନ, ଖୋର୍ଦ୍ଧା ସଦର, କୁଜଙ୍ଗ, କଟକ ସଦର, ସଦର, ବିରିଡ଼ି, ଦରଘାବଜାର, ଖାରବେଳନଗର ଥାନା ଅଞ୍ଚଳରେ ପୂର୍ବରୁ ୧୬ଟି ଆପରାଧିକ ମାମଲା ରହିଛି । ଅଭିଯୁକ୍ତ ଭବାନୀ ନାଁରେ ୬ଟି, ସେକ୍ ରହେମତ ଅଲ୍ଲୀ ନାଁରେ ୩ଟି, ସଂଗ୍ରାମ ନାଁରେ ୭ଟି ଲେଖାଏଁ ମାମଲା ରହିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ସେମାନଙ୍କୁ ଗିରଫ କରି ଅଦାଲତ ଚାଲାଣ କରାଯାଇଥିବା ପୁଲିସ ଆୟୁକ୍ତ ଡ.ସୁରେଶ ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ପୁଲିସ ଉପାୟୁକ୍ତ ପିନାକ ମିଶ୍ର ଉପସ୍ଥିତ ଥିଲେ।