ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ଆଲୋଚନା କରି ରାଜ୍ୟରେ ଖାଲି ପଡିଥିବା ବିଭିନ୍ନ ଡାକ୍ତର ପଦବୀ ଓ ପ୍ରଫେସର ପଦବୀ ପୂରଣ ଉପରେ ଗୁରୁତ୍ୱାରୋପ କରିଥିଲେ।
ବୈଠକର ଆଲୋଚନାରୁ ଜଣା ଯାଇଛିଯେ, ଖୁବ ଶୀଘ୍ର ରାଜ୍ୟରେ ୧୮୪୦ ଡାକ୍ତର ତଥା ମେଡିକାଲ ଅଫିସର ନିଯୁକ୍ତି ପାଇବେ ଏବଂ ଆହୁରି ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ମଧ୍ୟ ନିଯୁକ୍ତି ପାଇବେ। ରାଜ୍ୟର ସମସ୍ତ ସ୍ଥାନରେ ଉପଯୁକ୍ତ ସଂଖ୍ୟାରେ ମେଡିକାଲ ଅଫିସର ନିଯୁକ୍ତି ନିମନ୍ତେ ସୁବ୍ୟବସ୍ଥାକରଣ (rationalisation) ପ୍ରକ୍ରିୟା କରାଯିବା ସହିତ ଆଦିବାସୀ ଅଧୁଷିତ ଅଂଚଳ ମାନଙ୍କରେ ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି ପ୍ରଦାନ କରିବା ପାଇଁ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ପ୍ରତ୍ୟେକ ଦୁର୍ଘଟଣା ପ୍ରବଣ ଅଂଚଳରେ Integrated Trauma Care Centre ସ୍ଥାପନ ପାଇଁ ଗୁରୁତ୍ୱ ଦେବା, ଯେଉଁ ସ୍ଥାନକୁ ଡାକ୍ତର ମାନେ ଯିବାପାଇଁ ଅରାଜି ହେଉଛନ୍ତି ସେହି ସ୍ଥାନ ମାନଙ୍କରେ ଡାକ୍ତରଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ଏବଂ ଆୟୁଷ ଡାକ୍ତରଙ୍କ ବିଭିନ୍ନ ସମସ୍ୟା ବିଷୟରେ ଏହି ଆଲୋଚନା ହୋଇଥିଲା।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସମସ୍ୟା, ନିଯୁକ୍ତି, ବେତନ, ମେଡିକାଲ ଶିକ୍ଷାରେ ସିଟ ବୃଦ୍ଧି ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ସଚିବ, ଅଶ୍ୱଥି ଏସ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡଃ ବୃନ୍ଦା ଡ଼ି, ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶିକା ଡଃ ପୋମା ଟୁଡୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।