କଳାପାହାଡର କଳାହାତ ଭାଙ୍ଗିପାରନଥିବା ବୁଦ୍ଧକେଶ୍ୱର ଓ ମଧୁକେଶ୍ୱର ମନ୍ଦିର

କଳାପାହାଡର କଳାହାତ ଭାଙ୍ଗିପାରନଥିବା ବୁଦ୍ଧକେଶ୍ୱର ଓ ମଧୁକେଶ୍ୱର ମନ୍ଦିର
ସେଦିନ କଳାପାହାଡର ନିର୍ଦ୍ଦେଶକ୍ରମେ ଦୁର୍ଦ୍ଧର୍ଷ ମୋଗଲ ସୈନ୍ୟବାହିନୀ ଉତ୍କଳର ସୂକ୍ଷ୍ମ କାରୁକାର୍ଯ୍ୟଭରା ମନ୍ଦିରଗୁଡ଼ିକ ଉପରେ ପ୍ରବଳ ଆକ୍ରମଣ କରୁଥାଏ। ବହୁ ମନ୍ଦିର ମାଟିରେ ମିଶିଯାଉଥାଏ ଏବଂ କିଛି ମନ୍ଦିରର ମୁଖ୍ୟ ଆକର୍ଷଣ ସବୁକୁ ଭାଙ୍ଗି ଦିଆଯାଉଥାଏ। ଏହି ସମୟରେ କଳାପାହାଡ଼ର କ୍ରୂର ନଜର ପଡ଼େ ବୁଦ୍ଧକେଶ୍ୱର ଓ ମଧୁକେଶ୍ୱର ମନ୍ଦିର ଉପରେ। ମନ୍ଦିରଦ୍ୱୟର କାରୁକାର୍ଯ୍ୟ ଯେତିକି ସୂକ୍ଷ୍ମ ଓ ସୁନ୍ଦର, ପୂଜା ପାଉଥିବା ପାତାଳଫୁଟା ଶିବଲିଙ୍ଗଦ୍ୱୟର ମହାତ୍ମ୍ୟ ସେତିକି ବିଶାଳ। ପୁଣ୍ୟତୋୟା ପ୍ରାଚୀ ନଦୀ ଓ କୁଶଭଦ୍ରା ନଦୀର ମଧ୍ୟ ଭାଗରେ ଥିବା ଏହି ଦୁଇ ପ୍ରସିଦ୍ଧ ମନ୍ଦିରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଏ କଳାପାହାଡ଼। ମାତ୍ର ପୂରା ଭାଙ୍ଗିପାରେନି। ମନ୍ଦିରର ସୁନ୍ଦର କଳାମୁଗୁନି ପଥରର ଗଣେଶ ଓ ହନୁମାନଙ୍କ ମୂର୍ତ୍ତିକୁ ଭାଙ୍ଗି ଫେରିଯାଏ। କଳାପାହାଡ଼ ଆକ୍ରମଣରୁ କିଭଳି ମନ୍ଦିରଦ୍ୱୟ ବର୍ତ୍ତର୍ିଗଲା, ସେନେଇ କିଂବଦନ୍ତିରେ ସ୍ପଷ୍ଟ ବର୍ଣ୍ଣନା ନାହିଁ। ପୂଜା ପାଉଥିବା ଶିବଲିଙ୍ଗଙ୍କ ମହିମା ହେଉ କିମ୍ବା ଉତ୍କଳୀୟ ବୀର ଯୋଦ୍ଧାମାନଙ୍କ ଦୃଢ଼ ପ୍ରତିରୋଧ କାରଣରୁ ହେଉ, ଆଜି ବି ମନ୍ଦିରଦ୍ୱୟ ମୁଣ୍ଡ ଟେକି ଠିଆହୋଇଛି। ଦ୍ୱାଦଶ ଶତାବ୍ଦୀର ପ୍ରାଚୀନ ମନ୍ଦିରଦ୍ୱୟର କାରୁକାର୍ଯ୍ୟ ସେମିତି ଅକ୍ଷୁଣ୍ଣ ରହିଛି । ସେଦିନ ଓଡ଼ିଆ ଶିଳ୍ପୀର ନିହଣମୁନର ଆଘାତରେ ନିର୍ଜୀବ ପାଷାଣ ଦେହରେ ଆଙ୍କି ହୋଇଯାଇଥିବା ଚିତ୍ର ଆଜି ବି ଲିଭିନାହିଁ ।
ଉତ୍କଳର ପ୍ରାଚୀନ କଳା କେତେ ମନଲୋଭା ଓ ବିସ୍ମୟଭରା, ତାହାର ପ୍ରକୃଷ୍ଟ ପ୍ରମାଣ ହେଉଛି ଏହି ଦୁଇ ପ୍ରାଚୀନ ମନ୍ଦିର। ଦୁଇଟିଯାକ ମନ୍ଦିର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ ଦେଉଳିଧରପୁରରେ ଅବସ୍ଥିତ। ଦେଉଳିଧରପୁରରେ ବୁଦ୍ଧକେଶ୍ୱର ଓ ଭଅଁରା ନିଜିଗଡ଼ ମୌଜାରେ ମଧୁକେଶ୍ୱର ମହାଦେବଙ୍କ ପୀଠ ରହିଛି। ଦୁଇ ମନ୍ଦିର ମଧ୍ୟରେ ମାତ୍ର ଏକ କିଲୋମିଟର ଦୂରତା। ଲୋକଙ୍କ ବିଶ୍ୱାସ ଅନୁସାରେ ବଡ଼ଭାଇ ମଧୁକେଶ୍ୱର ମହାଦେବଙ୍କ ମନ୍ଦିର ପୂର୍ବମୂହାଁ ଓ ସାନଭାଇ ବୁଦ୍ଧକେଶ୍ୱର ମହାଦେବଙ୍କ ମନ୍ଦିର ପଶ୍ଚିମମୁଖୀ। ମଧୁକେଶ୍ୱର ମନ୍ଦିରକୁ ଲାଗି ରହିଛି ବାଣେଶ୍ୱର ମହାଦେବଙ୍କ ମନ୍ଦିର । ସମସ୍ତ ମନ୍ଦିରର କାରୁକାର୍ଯ୍ୟ ପ୍ରାୟ ସମାନ। କୁହାଯାଏ କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟରେ ଏହି ମନ୍ଦିରଦ୍ୱୟ ତିଆରି ହୋଇଥିଲା। ସୂର୍ଯ୍ୟମନ୍ଦିର ପାଇଁ ପ୍ରାଚୀ ନଦୀ ଦେଇ ଜଳପଥରେ ବୁହା ହେଉଥିବା ପଥରରୁ କିଛି ରଖି ଏହି ମନ୍ଦିର ଗଢ଼ାହୋଇଥିବା ଲୋକକଥା ରହିଛି। ମଧୁକେଶ୍ୱର ମନ୍ଦିର ପରିସରରେ ପ୍ରାଚୀନ ଶିଳାଲିପିର ଭଗ୍ନାବଶେଷ ରହିଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ମନ୍ଦିରର କାରୁକାର୍ଯ୍ୟ ଓ ଗଠନଶୈଳୀ ସହ ଏହି ମନ୍ଦିରଦ୍ୱୟର ବହୁ ସାମଞ୍ଜସ୍ୟ ରହିଛି। ଉଚ୍ଚତା ଓ ପରିଧି ଦୃଷ୍ଟିରୁ ଭିନ୍ନ ହୋଇଥିଲେ ହେଁ ମନ୍ଦିରର ପାଷାଣ କାନ୍ଥର ଖୋଦିତ ଚିତ୍ର ଓ କଳାରେ ବହୁ ସାମଞ୍ଜସ୍ୟ ଦେଖିବାକୁ ମିଳେ। ଜାଗର ଅମାବାସ୍ୟା, ଶିବପାର୍ବତୀଙ୍କ ବିବାହ ଉତ୍ସବ, ପଞ୍ଚୁଦୋଳ ଭୋଗଖିଆ ମେଳଣ, ଶ୍ରାବଣୀ ଜଳଲାଗି ଓ ସଂକ୍ରାନ୍ତି ଆଦି ବିଭିନ୍ନ ପର୍ବପର୍ବାଣୀରେ ଶ୍ରଦ୍ଧାଳୁମାନେ ଏଠାକୁ ଆସନ୍ତି। ଉଲ୍ଲେଖନୀୟ କଥା ହେଉଛି ମଧୁକେଶ୍ୱର ମହାଦେବଙ୍କ ପୀଠରେ ଆଶ୍ୱିନ ମାସ ମହାଷ୍ଟମୀ ପୂଜା କରାଯାଇଥାଏ। ଭଅଁରା ନିଜିଗଡ଼ ଗ୍ରାମର କ୍ଷତ୍ରୀୟ ପରିବାର ତରଫରୁ ଏଠାରେ ମହାଷ୍ଟମୀ ପୂଜା ହୋଇଥାଏ। ବୁଦ୍ଧକେଶ୍ୱର ମନ୍ଦିରରେ ରାମ ନବମୀରେ ୫ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୁଏ । ପ୍ରତିବର୍ଷ ପ୍ରାଚୀ ପରିକ୍ରମାରେ ଆସୁଥିବା ସାଧୁ, ସନ୍ଥ ଓ ସନ୍ୟାସୀମାନେ ଏହି ପୀଠରେ ରାତ୍ରିଯାପନ କରନ୍ତି।

Leave a Reply