ଶୁଳ୍କ ଫେରାଇବ ଆମେରିକା । କୋର୍ଟଙ୍କ ନିଷ୍ପତି ଆସିବା ପରେ ଆମେରିକାରେ ଜାରି ହେବ ରିବେଟ୍ । ମନ ଇଚ୍ଛା ଦେଶ ମାନଙ୍କ ଉପରେ ଟ୍ରମ୍ପ ଲଗାଇଥିବା ଟାରିଫ ଫେରାଇବ ଆମେରିକା । ଆଉ ଏମିତି ହେଲେ ଭୁସୁଡ଼ିବ ଆମେରିକା ଅର୍ଥନୀତି । ଅର୍ଥନୀତିଜ୍ଞମାନେ ଯାହା ଆକଳନ କରୁଥିଲେ ତାହା ସତ ହେଲା । ଟ୍ରମ୍ପଙ୍କ ଟାରିଫ ତାଙ୍କରି ଦେଶ ଉପରକୁ ହିଁ ବୁମେରାଙ୍ଗ ହେଲା ।
ଏକ ସାକ୍ଷାତକାରରେ ଆମେରିକାର ଟ୍ରେଜେରି ସଚିବ ସ୍କଟ୍ ବେସେଣ୍ଟ ଆମେରିକା ଅର୍ଥନୀତିକୁ ଏକ ବଡ଼ ବିପଦ ଆସୁଥିବା କହିଛନ୍ତି । ସେ କହିଛନ୍ତି ଯଦି ସୁପ୍ରିମକୋର୍ଟଙ୍କ ରାୟ ଟ୍ରମ୍ପ ପ୍ରଶାସନ ବିରୋଧରେ ଆସେ ତେବେ ଆମକୁ ଅଧା ଶୁଳ୍କକୁ ଫେରାଇବାକୁ ପଡ଼ିବ । ଯାହା କି ଆମେରିକା ଅର୍ଥନୀତି ପାଇଁ ଭୟଙ୍କର ହେବ । ତେବେ ଟ୍ରମ୍ପଙ୍କ ଟାରିଫ ଅବୈଧ ବୋଲି ଆଗରୁ ଆମେରିକାର ଫେଡେରାଲ କୋର୍ଟ ନିଜ ରାୟ ଶୁଣାଇଥିଲେ । ଫେଡେରାଲ କୋର୍ଟଙ୍କ ପୂର୍ବରୁ ଆଉ ଏକ କୋର୍ଟ ବି ଏହି ସମାନ କଥା କହିଥିଲେ ।
କୋର୍ଟଙ୍କ ରାୟ ଅନୁସାରେ ଆମେରିକାର ସମ୍ବିଧାନ ରାଷ୍ଟ୍ରପତିଙ୍କୁ ଏ ଅଧିକାର ହିଁ ଦେଇନି ଯେ, ସେ ମନ ଇଛା ସବୁ ଦେଶ ଗୁଡ଼ିକ ଉପରେ ଟାରିଫ ଲଗାଇବେ । ଟ୍ରମ୍ପ ନିଜ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ କ୍ଷମତାର ଅପବ୍ୟବହାର କରୁଛନ୍ତି । ଏହା ସମ୍ପୂର୍ଣ୍ଣ ଅବୈଧ ତେଣୁ ଏହାକୁ ବିଚାରକୁ ନେବା ଆବଶ୍ୟକ । କିନ୍ତୁ କୋର୍ଟ ଏହାକୁ ରାତି ଅଧିଆ ବନ୍ଦ କରିବାକୁ ଅନୁମତି ଦେଇନଥିଲେ । ଯଦି ଏପରି ହୋଇତାନ୍ତା ତେବେ ଆମେରିକା ଅର୍ଥ ବ୍ୟବସ୍ଥା ଭୁସୁଡ଼ି ପଡ଼ିଥାନ୍ତା ବୋଲି ନିଜ ରାୟରେ ଶୁଣାଇଥିଲେ କୋର୍ଟ ।
ଏହାଛଡ଼ା ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟ ଯିବାକୁ ସମୟ ଦେଇଥିଲେ ଫେଡେରାଲ କୋର୍ଟ । ଆମେରିକା ଫେଡେରାଲ କୋର୍ଟଙ୍କ ଏହି ରାୟକୁ ନେଇ ପ୍ରତିକ୍ରିୟା ଦେଇଥିଲେ ଟ୍ରମ୍ପ । ସେ କହିଥିଲେ ଯେ, କୋର୍ଟଙ୍କ ରାୟ ମତେ ଆଶ୍ଚର୍ଯ୍ୟ କରୁଛି ଆମେ ଏହାକୁ ନେଇ ସୁପ୍ରିମକୋର୍ଟ ଯିବୁ ଓ ଏଥିରେ ଆମର ହିଁ ବିଜୟ ହେବ ।